ଅଡୁଆରେ ବଲିଉଡ ହିରୋ ରଣବୀର ସିଂ । ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ରଣବୀରଙ୍କ ନାଁରେ ହୋଇଛି FIR! । ଏନେଇ ବେଙ୍ଗାଲୁରୁରେ BNS ଧାରା ୧୯୬, ୨୯୯ ଏବଂ ୩୦୨ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି । ଗତ ୨୮ତାରିଖରେ ଗୋଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀରେ ରଣବୀର ସିଂ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମର ନାୟକ ରିଷଭ ସେଟ୍ଟୀଙ୍କ ଉପସ୍ଥିତିରେ ପାଞ୍ଜୁରଲି ଏବଂ ଚାଭୁଣ୍ଡି ଦୈବ ପରମ୍ପରାକୁ ପରିହାସ କରିଥିବା ଅଭିଯୋଗ ହୋଇଛି । ଦେବତାଙ୍କୁ ‘ଭୂତ’ ବୋଲି କହି ସମ୍ବୋଧନ କରିଥିଲେ, ଯାହା ହିନ୍ଦୁ ଧାର୍ମିକ ବିଶ୍ୱାସ ପ୍ରତି ଏକ ଗୁରୁତର ଅପମାନ ବୋଲି ଏତଲାରେ କୁହାଯାଇଛି ।
ଅଭିଯୋଗକାରୀଙ୍କ ଅନୁସାରେ, ରଣବୀର ଜାଣିଶୁଣି ଦୁର୍ଭାବନା ରଖି ଏପରି କରିଛନ୍ତି, ଯାହା କୋଟି କୋଟି ହିନ୍ଦୁ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି । ବେଙ୍ଗାଲୁରୁର ଆଇନଜୀବୀ ପ୍ରଶାନ୍ତ ମେଥାଲ ଏହି ମାମଲା ଦାୟର କରିଛନ୍ତି । ତେବେ ବିବାଦରେ ରଣବୀରଙ୍କ ସ୍ପଷ୍ଟୀକରଣ ରଖି କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ତାଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନଥିଲା, ବରଂ ସେ କେବଳ ରିଷଭ ସେଟ୍ଟୀଙ୍କ ଅଭିନୟକୁ ସମ୍ମାନ ଜଣାଉଥିଲେ ।
