ମୁମ୍ବାଇ: ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଇନଷ୍ଟାରେ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ଘରକୁ ଅନେକ ସେଲିବ୍ରିଟି ପହଞ୍ଚିବା ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଧଳା ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଘର ବାହାରେ ଦିବଂଗତ ଅଭିନେତାଙ୍କ ନାତି କରଣ ଦେଓଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ଦୁଃଖିତ ଦେଖାଯାଉଛନ୍ତି।
