ଭିସା ଆବେଦନ ଖାରଜ ହେବାରୁ ଜୀବନ ହାରିଦେଲେ ଡାକ୍ତରାଣୀ। ହାଇଦ୍ରାବାଦରରେ ଘଟିଛି ଏଭଳି ଘଟଣା। ଏଠାରେ ରହୁଥିବା ଜଣେ ୩୮ବର୍ଷୀୟା ଡାକ୍ତରାଣୀ ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଥଇବା ଜଣାଯାଇଛି। ସେ ଆମେରିକା ଯିବା ପାଇଁ ଭିସା ଆବେଦନ କରିଥିଲା, ଯାହା ଖାରଜ ହୋଇଯାଇଥିଲା। ମୃତ୍ଯୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାଥମିକ ତଦନ୍ତରୁ ମାନସିକ ଚିନ୍ତା ଯୋଗୁଁ ସେ ଏପରି କରିଥିବା ଅନୁମାନ କରାଯାଉଛି। ମୃତକଙ୍କ ନାମ ହେଲା ରୋହିଣୀ।
ସୂଚନା ମୁତାବକ, ଗୁଣ୍ଟୁର ଜିଲ୍ଲାର ମୂଳ ବାସିନ୍ଦା ହେଉଛନ୍ତି ରୋହିଣୀ। ସେ ହାଇଦ୍ରାବାଦର ପଦ୍ମା ରାଓ ନଗର ଆପାର୍ଟମେଣ୍ଟରେ ରହିଆସୁଥିଲେ। ଗତ ୨୨ ତାରିଖରେ ରୋହିଣୀଙ୍କ ଗୃହ ସହାୟିକା ତାଙ୍କ କବାଟ ବହୁତ ସମୟ ପର୍ଯ୍ୟନ୍ତ ବାଡେଇବା ପରେ ସେ କବାଟ ଖୋଲି ନଥିଲେ। କୌଣସି ଉତ୍ତର ନପାଇବାରୁ ଗୃହ ସହାୟିକାଜଣଙ୍କ ବ୍ୟସ୍ତ ହୋଇ ରୋହିଣୀଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ପରିବାର ଲୋକ ଆସି କବାଟ ବାଡ଼ାଇଥିଲେ ମଧ୍ୟ ରୋହିଣୀ କବାଟ ଖୋଲିନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ଭିତରକୁ ଯିବା ପରେ ରୋହିଣୀ ଅଚେତ୍ ହୋଇ ତଳେ ପଡ଼ିଥିବା ଦେଖିଥିଲେ ପରିବାର ଲୋକେ। ଏନେଇ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅତ୍ୟଧିକ ନିଦ ବଟିକା ଖାଇବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛି ପୁଲିସ।
