ପାଟନା: ପୂର୍ବତନ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ପାର୍ଟି ଦାବି କରିଛି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ୨୦୨୫ ବିଧାନସଭା ନିର୍ବାଚନ ପାଇଁ ବିଶ୍ୱ ବ୍ୟାଙ୍କର ୧୪,୦୦୦ କୋଟି ଟଙ୍କାର ପାଣ୍ଠିକୁ “ଅପବ୍ୟବହାର” କରିଛନ୍ତି ।
ଜନ ସୁରାଜ ପାର୍ଟି ନିଜର ପ୍ରଥମ ନିର୍ବାଚନରେ ଖାତା ଖୋଲିବାରେ ବିଫଳ ହେବାର ଗୋଟିଏ ଦିନ ପରେ ଶନିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ସିଂହ କହିଛନ୍ତି, ପାଣ୍ଠି ଦାନ ଏବଂ ଉପହାର ପାଇଁ ବ୍ୟବହାର କରାଯାଇଛି।ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ଦୁଇ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି। ଆଦର୍ଶ ଆଚରଣ ସଂହିତା ସତ୍ତ୍ୱେ, ଭୋଟଦାନ ହେବାର ଗୋଟିଏ ଦିନ ପୂର୍ବରୁ ଲୋକମାନେ ଟଙ୍କା ପାଉଥିଲେ। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ହୋଇଥିଲା। ସରକାର ଏଭଳି କରି ମହିଳାମାନଙ୍କୁ ପ୍ରଭାବିତ କରିବାର ଉଦ୍ୟମ କରିଥିଲେ। ଏହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଥିଲା।
ସେ କହିଛନ୍ତି, ବିହାରରେ କ୍ଷମତା ବଜାୟ ରଖିଥିବା ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥାନ୍ତା ଯଦି ସାଧାରଣ ଲୋକଙ୍କ ଟଙ୍କାକୁ ଭୋଟ୍ କିଣିବା ପାଇଁ ଖର୍ଚ୍ଚ କରାଯାଇ ନଥାନ୍ତା।
ଜନ ସୁରାଜ ପାର୍ଟିର ଭୋଟରଙ୍କ ଏକ ଅଂଶ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଅଧୀନରେ ଜଙ୍ଗଲ ରାଜ ଫେରିବାର ଭୟରେ ଏନଡିଏକୁ ଭୋଟ ଦେଇଥିଲେ ।
