ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ଓଲିଉଡ୍ର ଜଣାଶୁଣା ଗାୟକ ହ୍ୟୁମାନ ସାଗର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏବେ ବି ଭେଣ୍ଟିଲେଟର ସହାୟତାରେ ଅଛନ୍ତି ସେ। ଏଣେ ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହ୍ୟୁମାନ ସାଗର କେମିତ ଅଛନ୍ତି, ସେନେଇ ଜାଣିବା ପାଇଁ ଡାକ୍ତରୀ ଟିମ୍ଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିବାକୁ କହିଛନ୍ତି।ଏଣେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ହ୍ୟୁମାନ ସାଗର କଟକର ଏକ ଘରୋଇ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହୋଇଥିଲେ। ଠିକ୍ ତା ପୂର୍ବରୁ ସେ ଏକ ଓଡ଼ିଆ ଛବିର ସଙ୍ଗୀତ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ‘ଛକି ଶୂନ’ର ମ୍ୟୁଜିକ୍ ସିଟିଂ ବି ଆରମ୍ଭ ହୋଇଥିଲା। ଏପରିକି ସେ ଉକ୍ତ ଫିଲ୍ମର ଦୁଇଟି ଗୀତର ସ୍ବର ସଂଯୋଜନା କାମ ଶେଷ କରିଥିଲେ। ଆହୁରି ତିନିଟି ଗୀତ କାମ ବାକି ରହିଛି। ହେଲେ ହଠାତ୍ ତାଙ୍କର ଦେହ ଖରାପ ହୋଇଗଲା। ଏଠାରେ ଯେଉଁ ଓଡ଼ିଆ ସିନେମା କଥା କୁହାଯାଉଛି, ତାହା ହେଲା ଅନୁସନ୍ଧାନମୂଳକ ଥ୍ରିଲର ‘ଛକି ଶୂନ’। ଏଥିରେ ପ୍ରଥମ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ହ୍ୟୁମାନ୍।
ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ‘ଛକି ଶୂନ’ରେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଜିତୁ ମଙ୍ଗରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
