ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ନିହଲପ୍ରସାଦ ଥାନା ନିହଲପ୍ରସାଦ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ଜଣାଯାଏ, ନିହଳପ୍ରସାଦ ଗ୍ରାମର ଅଭୟ ଦାସଙ୍କର ଦୁଇ ପୁଅ ଓମ୍ପ୍ରକାଶ (୧୩) ଓ ସତ୍ୟପ୍ରକାଶ (୧୦) ଗତକାଲି ମଧ୍ୟାହ୍ନ ସମୟରେ ବାପାଙ୍କ ପାଇଁ ଖାଇବା ନେଇ ଗ୍ରାମ ପାଖରେ ଥିବା ଧାନକ୍ଷେତକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ତିନିଟାରେ ଦୁଇଭାଇ ସାଙ୍ଗ ହୋଇ ଘରକୁ ଫେରୁଥିବା ବେଳେ ଗାଁ ପାଖ ପୋଖରୀକୁ ଗୋଡ଼ହାତ ଧୋଇବା ପାଇଁ ଯାଇଥିଲେ। ପୋଖରୀ ପାଣିରେ ଗୋଡ଼ ଧୋଇବା ସମୟରେ ସାନଭାଇର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା। ତାକୁ ପାଣିରୁ ଉଦ୍ଧାର କରିବାକୁ ବଡ଼ଭାଇ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ପାଣି ଭିତରକୁ ଚାଲି ଯାଇଥିଲା। ପୋଖରୀରେ ଅଧିକ ପାଣି ଥିବାରୁ ଦୁଇଜଣଯାକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ବାପା ବିଲରୁ କାମସାରି ଘରକୁ ଫେରି ଦୁଇ ପୁଅଙ୍କୁ ଘରେ ନଥିବାର ଦେଖି ଖୋଜାଖୋଜି କରିଥିଲେ। ନପାଇବାରୁ ସନ୍ଦେହରେ ପୋଖରୀକୁ ଯାଇଥିଲେ। ସେଠାରୁ ଦୁଇ ଭାଇଙ୍କୁ ପାଣିରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଗାଁରେ ଦାହ କରା ଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଗଭୀର ଶୋକ ପ୍ରକାଶ ପାଇଛି।
