ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି। ସେମାନେ ଫୋନ୍ କରି ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି। ତା ନହେଲେ ତୁମକୁ ଓ କୁମ ପୁଅକୁ ଜୀବନରୁ ମାରିଦେବୁ। ୨୭ ଓ ୨୮ ତାରିଖରେ ଏଭଳି ହତ୍ୟା ଧମକ ଆସିଛି। ଆମେ ଭୟରେ କାଳାତିପାତ କରୁଛୁ। ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ। ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି।ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍ଣରେ ପୁଲିସ ପୀତବାସ ପଣ୍ଡାଙ୍କ ହତ୍ୟା ଅଭିଯୁକ୍ତ ଚିଣ୍ଟୁ ଓ କୁରୁପତିକୁ ଧରି ହତ୍ୟାସ୍ଥଳରେ ପହଞ୍ଚିଥିଲା। ବୈକୁଣ୍ଠନଗର ପ୍ରଥମ ଗଳି ଯେଉଁଠାରେ ପୀତବାସଙ୍କୁ ଗୁଳିମାଡ଼ ହୋଇଥିଲା ସେଠାରେ ଅଭିଯୁକ୍ତମାନେ ଅପରାଧ ବେଳର ସିନ୍ ରିକ୍ରିଏସନ୍ କରି ଡେମୋ ଦେଖାଇଥିଲେ। ପୀତବାସ ସ୍କୁଟିରେ ଆସିବା ପୂର୍ବରୁ ଚିଣ୍ଟୁ ଓ କୁରୁପତି ଆଗୁଆ ସେଠାରେ ପହଞ୍ଚିଥିଲେ। ପୀତବାସ ଆସିବା କ୍ଷଣି କୁରୁପତି ବାଇକ୍ରୁ ଓହ୍ଲାଇ ତାଙ୍କୁ ‘ପଣ୍ଡା ବାବୁ ନମସ୍କାର’ ବୋଲି କହିଥିଲା। ପୀତବାସ ‘କିଏ’ ବୋଲି ପଚାରିବା କ୍ଷଣି କୁରୁପତି ଗୁଳି ଚଳାଇଥିଲା। ଗୁଳିଟି ପୀତବାସଙ୍କ ଛାତିରେ ବାଜିବା ମାତ୍ରେ ସେ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ତଥାପି ଜୀବନ ବଞ୍ଚାଇବାକୁ ସେ କିଛି ପାଦ ଦୌଡ଼ିଥିଲେ ବି ଯାଇ ପାରିନଥିଲେ। ସେଠାରେ ପଡ଼ି ନିସ୍ତେଜ ହୋଇ ଯାଇଥିଲେ।
