ନୂଆପଡ଼ା: ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ଆସିଛନ୍ତି। ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେଇଛନ୍ତି। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଇଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମା’ଙ୍କର ଆଶୀର୍ବାଦ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର୍, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଅଛନ୍ତି।ହେଲିକପ୍ଟର ଯୋଗେ ଶନିବାର ଦିନ ୨ଟାରେ ସର୍କିଟ୍ ହାଉସ୍ ପାଖରେ ଥିବା ପଡ଼ିଆରେ ପହଞ୍ଚି ଶ୍ରୀ ମାଝୀ ନୂଆପଡ଼ା ସହରରେ ରୋଡ୍ ସୋ’ କରିବେ। ଉକ୍ତ ରୋଡ୍ ସୋ’ ୧୦ କିମି ଅତିକ୍ରମ କରି ଖରିଆର ରୋଡ୍ ସହରରେ ପହଞ୍ଚିବ। ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ କରିବା ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ରାତ୍ରିଯାପନ କରି ପ୍ରଚାରର ମଙ୍ଗ ଧରିବେ।
