ଦୁବାଇ : ଦୁବାଇର ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟାଳୟରୁ ଗାଏବ ହୋଇଯାଇଛି ଏସିଆ କପ୍ ଟ୍ରଫି (AsiaCup Trophy) । କୁହାଯାଉଛି ଏସିସି ମୁଖ୍ୟ ମହସିନ ନକଭି ଏହାକୁ ଲୁଚାଇଦେଇଛନ୍ତି । ଏହା ପରେ ବିସିସିଆଇ (BCCI) ଓ ପିସିବି ମଧ୍ୟରେ ବିବାଦ ଆହୁରି ବଢିଯାଇଛି । ନକଭି ଏସିସି ମୁଖ୍ୟାଳୟରୁ ଏସିଆ କପ୍ ଟ୍ରଫିକୁ ବାହାର କରି ଆବୁଧାବିର ଏକ ଅଜ୍ଞାତ ସ୍ଥାନରେ ଲୁଚାଇ ରଖିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଜଣେ ବିସିସିଆଇ ଅଧିକାରୀ ଏସିସି ମୁଖ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ସେ ଯେତେବେଳେ ଏସିଆ କପ୍ ଟ୍ରଫି ବିଷୟରେ ପଚାରିଥିଲେ, ସେଠାରେ କର୍ମଚାରୀମାନେ ତାଙ୍କୁ ଜଣାଇଥିଲେ ଯେ ଏହାକୁ ବାହାର କରିଦିଆଯାଇଛି ଏବଂ ବର୍ତ୍ତମାନ ମୋହସିନ ନକଭିଙ୍କ କବଜାରେ ଅଛି ଓ ସେ ଏହାକୁ ଆବୁଧାବିର ଏକ ଅଜ୍ଞାତ ସ୍ଥାନରେ ରଖିଛନ୍ତି।ସୂଚନାଯୋଗ୍ୟ ଯେ ଭାରତ ସେପ୍ଟେମ୍ବର ୨୮ ତାରିଖରେ ଦୁବାଇରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏସିଆ କପ୍ ଜିତିବା ପରେ, ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ତା’ପରେ ନକଭି ଏହାକୁ ନିଜ ସହିତ ନେଇଯାଇଥିଲେ ଏବଂ ସେବେଠାରୁ ଏହା ଏସିସି କାର୍ଯ୍ୟାଳୟରେ ତାଲା ପକାଇ ରଖାଯାଇଥିଲା। ଏପରିକି ନକଭି ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କ ଅନୁମୋଦନ ବିନା ଟ୍ରଫିକୁ କେହି ଘୁଞ୍ଚେଇ ମଧ୍ୟ ପାରିବେ ନାହିଁ, ଭାରତକୁ ହସ୍ତାନ୍ତର କରିବା ତ ଦୂରର କଥା।
