ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନାତେକୁର ଭୋର ସମୟରେ ଘଟିଛି ଭୟାନକ ଦୁର୍ଘଟଣା | ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏସି ବସରେ ନିଆଁ ଲାଗିଯିବାରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ପ୍ରାୟ ୨୧ ଜଣ ଲୋକ ବସ୍ ଝରକା ଭାଙ୍ଗି ବସ୍ ରୁ ଡେଇଁ ପଳାଇ ଯାଇଥିଲେ। ଯେଉଁମାନେ ଝରକା ଦେଇ ଯାଇପାରିନଥିଲେ ସେମାନଙ୍କର ମୃତ୍ୟୁ ହୋଇଯାଇଛି |
ଭୋର ପ୍ରାୟ ୩ଟା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା, ଯେତେବେଳେ ଏକ ମୋଟରସାଇକେଲ ସହିତ ଧକ୍କା ହେବା ଏବଂ ଇନ୍ଧନ ଲିକ୍ ହେବାର କିଛି ମିନିଟ୍ ପରେ ବସ୍ ଟିରେ ନିଆଁ ଲାଗିଯାଇଥିଲା। ବସ୍ ର ଅତିରିକ୍ତ ଡ୍ରାଇଭରଙ୍କ ଅନୁଯାୟୀ, ସେମାନେ ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ଏବଂ ନିଆଁ ନିୟନ୍ତ୍ରଣ ବାହାରକୁ ଯିବା ପରେ ସେମାନେ କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କୁର୍ଣ୍ଣୁଲ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଯେ ଯେଉଁମାନେ ବସ୍ ରୁ ଡେଇଁ ପଡ଼ିଥିଲେ ସେମାନେ ବଞ୍ଚି ଯାଇଥିଲେ। କଲେକ୍ଟରଙ୍କ ଅନୁଯାୟୀ, ବସ୍ ଟିରେ ଦୁଇ ଡ୍ରାଇଭର ସମେତ ୪୧ ଜଣ ଥିଲେ। ବର୍ତ୍ତମାନ ୨୧ ଜଣଙ୍କୁ ଠାବ କରାଯାଇଛି ଏବଂ ବାକି ୨୦ ଜଣଙ୍କ ମଧ୍ୟରୁ 11 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ଡ୍ରାଇଭର ଫେରାର୍ ଅଛନ୍ତି। ଅଗ୍ନିଶମ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଆହତମାନଙ୍କୁ କୁର୍ଣ୍ଣୁଲର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ଏଫଆଇଆର ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି।
