ବେଜିଂ : ଚୀନର ସାଂଘାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ଧସିଗଲା, ଯାହା ଫଳରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି । ଏହି ଭୟଙ୍କର ଦୃଶ୍ୟ ଦେଖିବା ପରେ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚୀନର ସବୁଠାରୁ ଅତ୍ୟାଧୁନିକ ସହରର ଏକ ବ୍ୟସ୍ତବହୁଳ ରାସ୍ତା କିଛି କ୍ଷଣରେ ଧସିଯାଉଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଏହା ପୂର୍ବରୁ ଚୀନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । କିନ୍ତୁ ଏଥିରେ କୌଣସି ଲୋକଙ୍କର କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।
ଏହି ଘଟଣାର କାରଣ କୌଣସି ପ୍ରାକୃତିକ ବିପର୍ଯ୍ୟୟ ନୁହେଁ । ବରଂ ଦ୍ରୁତଗତିରେ ବଢୁଥିବା ସହରୀକରଣ ଏବଂ ଦୁର୍ବଳ ନିର୍ମାଣ ଯୋଗୁଁ ଏହି ଭୟଙ୍କର ପରିଣାମ ଦେଖିବାକୁ ମିଳିଛି । ଆକାଶ ଛୁଆଁ କୋଠା ନିର୍ମାଣ ଏହି ଘଟଣାର ମୁଖ୍ୟ କାରଣ । ପ୍ରତିଦିନ ଏହି ରାସ୍ତାରେ ଯାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ଭୟଙ୍କର ଚେତାବନୀ ପାଲଟିଛି । ଯେଉଁମାନେ ସେମାନଙ୍କ ଜୀବନକୁ ବାଜି ପକାଇ ଏହି ରାସ୍ତାରେ ଯାଉଛନ୍ତି ।
ସାଂଘାଇ ଦୁର୍ଘଟଣା ପଛରେ ଅନେକ ପ୍ରମୁଖ କାରଣ ଥାଇପାରେ । ଯେଉଁଥିରେ ଭୌଗୋଳିକ କାରଣ ମଧ୍ୟ ସାମିଲ । କିନ୍ତୁ ଏହା ବ୍ୟତୀତ ରାସ୍ତା ନିର୍ମାଣରେ ଏକ ବଡ଼ ଭୁଲ ମଧ୍ୟ ସାମ୍ନାକୁ ଆସିପାରେ । ସାଂଘାଇର ରାସ୍ତା ମୁଖ୍ୟତଃ ନରମ ମାଟିରେ ତିଆରି ହୋଇଛି । ରାସ୍ତାରେ ଅତ୍ୟଧିକ ଜଳ ନିଷ୍କାସନ ଏବଂ ପତଳା ବାଲି ସ୍ତର ଯୋଗୁଁ ଭୂତଳରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଯାହା ଭାରୀ ଚାପ ପାଇଁ ସକ୍ଷମ ନୁହେଁ ।
୨୦୧୭ ରୁ ୨୦୨୩ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, ଚୀନରେ ୭୨% ସିଙ୍କହୋଲ ମାନବ କାର୍ଯ୍ୟକଳାପ ସହିତ ଜଡିତ ଥିଲା । ଯେଉଁଥିରେ ଦୁର୍ବଳ ଭିତ୍ତିଭୂମି, ନିର୍ମାଣ ତ୍ରୁଟି ଏବଂ ପାଇପଲାଇନ ବିଫଳତା ଭଳି କାରଣ ସାମିଲ ରହିଛି । ୨୦୨୪ ଜାନୁଆରୀରେ ମିନହାଙ୍ଗ ଜିଲ୍ଲାର ଏକ ରାସ୍ତା ପ୍ରାୟ ୧୦ ମିଟର ଭୁଶୁଡି ପଡ଼ିଥିଲା । ଏହି ଘଟଣା ସ୍ୱରେଜ୍ ପାଇପ୍ ବିଫଳତା ଯୋଗୁଁ ଘଟିଥିଲା । କିନ୍ତୁ ଏଥିରେ କେହି ମୃତାହତ ହୋଇ ନଥିଲେ ।
