ବାଙ୍କୀ: ସରକାରୀ ବାବୁ କରୁଛନ୍ତି ମହା ଘୋଟାଲା । ସରକାରୀ ଗାଡ଼ିରେ ତେଲ ପକାଇବା ବାହାନାରେ ନିଜ ବ୍ୟକ୍ତିଗତ ଗାଡ଼ିରେ ତେଲ ପକାଇବା ପାଇଁ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ । ଗ୍ରାମାଞ୍ଚଳରେ ନୂତନ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ବିକଶିତ ଓଡ଼ିଶା ବିକଶିତ ଗାଁ ଯୋଜନା ସହିତ ଅର୍ଥ କମିଶନ ଅନୁଦାନରେ କୋଟି କୋଟି ଟଙ୍କାର ଅନୁଦାନ ଆସି କାର୍ଯ୍ୟକାରୀ ହେଉଛି । ମାତ୍ର ସମସ୍ତ କାର୍ଯ୍ୟର ବିଲ୍ ପାଇବା ପରେ ଶତକଡା ଏକ ପ୍ରତିଶତ ଟଙ୍କା ବ୍ଲକରେ ଜମା ରହେ । ବାଙ୍କୀ ବ୍ଲକର ଉନ୍ନୟନ କାର୍ଯ୍ୟ ପାଇଁ ଏହି ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ବ୍ଲକର ଉନୟନ ଅଧିକାରୀ ବା ବିଡିଓ ଜଣକ ନିୟମ କାନୁନକୁ ଫୁ କରିଥିବା ହୋଇଛି ଅଭିଯୋଗ । ପୁରୁଣା ଅଚଳ ଜିପରେ ତେଲ ପକାଇବା ଦର୍ଶାଇ ବିଡିଓ ବାବୁ ନିଜ ବ୍ୟକ୍ତିଗତ କାରରେ ତେଲ ପକାଇ ହଜାର ହଜାର ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଛି ।
ଗତ ୨୦୨୫ ମସିହା ଫେବୃଆରୀ ମାସ ୩ ତାରିଖରେ ବାଙ୍କୀ ବ୍ଲକରେ ଯୋଗ ଦେଇଥିଲେ ବିଡିଓ ସଂଗ୍ରାମ କେଶରୀ ଭଳ । ୨୦୨୫ ମସିହା ଫେବୃଆରୀ ୧୦ ତାରିଖ ଠାରୁ ୨୦୨୫ ମସିହା ଅଗଷ୍ଟ ମାସ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪ ଶହ ୭୧ ଲିଟର ଡିଜେଲ ନିଜ ବ୍ୟକ୍ତିଗତ କାରରେ ପକାଇ ଦୈନିକ କଟକ ଓ ଭୁବନେଶ୍ବରକୁ ଯାତାୟତ କରିଥିବା ଅଭିଯୋଗ ହୋଇଛି । ପୁରୁଣା ଅଚଳ ହୋଇ ପଡ଼ି ରହିଥିବା ଜିପରେ ବାଙ୍କୀ ଗୋପୀନାଥ ଫିଲିଙ୍ଗ ଷ୍ଟେସନରୁ ତେଲ ପକା ଯାଇଥିବା ଦର୍ଶାଇଥିଲେ ବି ବିଡିଓ ବାବୁ ନିଜ ବ୍ୟକ୍ତିଗତ କାରରେ ତେଲ ପକାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ଓଡିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଶାସନ ସଚିବଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଆହୁରି ଅନେକ ଦୁର୍ନୀତି ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି ।
ଅଧ୍ୟକ୍ଷାଙ୍କ ଅଭିଯୋଗ ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ତଦନ୍ତ ପାଇଁ ଶାସନ ସଚିବ ପଞ୍ଚାୟତିରାଜ ବିଭାଗରେ ନିର୍ଦ୍ଦେଶାନାମା ପହଞ୍ଚିଛି । ସେପଟେ କଟକ ଜିଲ୍ଲାପାଳ ତଦନ୍ତ କରିବା ପାଇଁ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କ ଟିକସରୁ ହରିଲୁଟ କରୁଥିବା ବିଡିଓଙ୍କର ସମସ୍ତ କାର୍ଯ୍ୟ ତଦନ୍ତ କରାଗଲେ ଆହୁରି ବହୁ ରହସ୍ୟ ପଦାକୁ ଆସିବ ବୋଲି ବାଙ୍କୀ ବିଧାୟକ ଦାବି କରିଛନ୍ତି । ସେପଟେ ବିଡିଓଙ୍କ କାର ଚଳାଉଥିବା ଜିପ୍ ଡ୍ରାଇଭର ପବିତ୍ର ଦଳେଇ କହିଛନ୍ତି ବିଡିଓ ସାରଙ୍କ ଗାଡି ଚଳାଉଛି । ତେବେ ସରକାରୀ ଡ୍ରାଇଭର ହୋଇ ବିଡିଓଙ୍କ ବ୍ୟକ୍ତିଗତ ଦାମୀ କାର ଚଳାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବ୍ଲକ୍ ଜିପ୍ ଟି ଦୀର୍ଘ ଦୁଇ ବର୍ଷ ଧରି ଅଚଳ ହୋଇଯିବା ପରେ ବିଡିଓ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଗସ୍ତ କରିବା ପାଇଁ ଆଉ ଗୋଟିଏ ଘରୋଇ ବୋଲେରୋ ଗାଡି ରହିଛି । ଏନେଇ ମାସିକ ୩୦ ହଜାର ଟଙ୍କାର ଭଡା ସୁତ୍ରରେ ଦିଆଯାଉଛି । ହେଲେ ବିଡିଓ ପୁରୁଣା ଜିପ୍ ନମ୍ବରକୁ ନିଜ ବ୍ୟକ୍ତିଗତ କାରରେ ବ୍ୟବହାର କରୁଛନ୍ତି । କ୍ୟାମେରା ସମ୍ମୁଖରେ ବିଡିଓ ଠିକ ଭାବେ ଉତ୍ତର ଦେଇ ନାହାନ୍ତି । ଅଭିଯୋଗ ଅନୁସାରେ ଘଟଣାର ତଦନ୍ତ କରିବା ପାଇଁ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ତେବେ ଘଟଣାର କେବେ ହେବ ତଦନ୍ତ, ତା ଉପରେ ସମସ୍ତଙ୍କ ନଜର ।
Also Read: ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ, ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ ହୋଇଥିଲେ ଦମ୍ପତି
