ଉଦଳା: ସ୍କୁଲ ଆଗରେ ଜନ୍ମ ଦିନର ବ୍ୟାନର । ପିଲାମାନଙ୍କ ଖୁସିରେ ଆମେ ଖୁସି । ନିଜେ ଗରିବ ପରିବାରରେ ଜନ୍ମ ହୋଇଥିଲେ, ସେଥିପାଇଁ ଅସହାୟଙ୍କ ଦୁଃଖ ଦେଖିଲେ ନିଜେ ହୋଇଯାଆନ୍ତି ଦୁଃଖୀ । ମଣିଷ ଅନ୍ତରର ବେଦନାକୁ ସତେ ଯେମିତି ସେ ବୁଝି ପାରନ୍ତି । ନିଜକୁ କଷ୍ଟ ହେଉ ପଛେ ଅନ୍ୟକୁ ସହଯୋଗ କରିବାରେ ତାଙ୍କୁ ମିଳିଥାଏ ଅସରନ୍ତି ଖୁସି । ସେଥିପାଇଁ ପାଇଁ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଯେତିକି ପରିଚିତ ଥିଲେ ତା ଠାରୁ ନିଜର ମହାନତା ପାଇଁ ଅଧିକ ପ୍ରସଂଶା ସାଉଁଟୁଛନ୍ତି ।
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବେଲଡିହା ଗାଁର ଏ ହେଉଛନ୍ତି ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ମହାକୁଡ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ମହାକୁଡ । ଦିବ୍ୟାଙ୍ଗ ପିଲାମାନଙ୍କୁ ଗପ କହି ପାଖରେ ବସି ଖୁଆଇ ଦେଉଛନ୍ତି ଆଉ କେକ କାଟି ସମସ୍ତଙ୍କୁ କହୁଛନ୍ତି ଆର ବର୍ଷକୁ ପୁଣି ଆସିବି ଓ ତମ ମାନଙ୍କ ସହ ମିଶି ପୁଣି କେକ୍ କାଟିବି । ଆଜକୁ ୪ ବର୍ଷ ହେବ ସ୍ତ୍ରୀଙ୍କ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳି ଆସୁଛନ୍ତି ପୁରୁଷୋତ୍ତମ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜନ୍ମ ଦିନ ପାଳନ କୌଣସି ହୋଟେଲ କି ଘରେ ନୁହେଁ । ଜନ୍ମ ଦିନ ପାଳନ କରିବା ପାଇଁ ବିଦ୍ୟାଳୟ ଯାଇଛନ୍ତି ଦମ୍ପତି । ପୁଣି ଏ ଏମିତି ସେମିତି ବିଦ୍ୟାଳୟ ନୁହେଁ । ଏ ହେଉଛି ଏକ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟ । ଆଉ ଦିବ୍ୟାଙ୍ଗ ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି ସ୍ବାମୀ ସ୍ତ୍ରୀ । ଶିକ୍ଷକଙ୍କ ଏଭଳି ମହାନତାକୁ ନେଇ ଏବେ ବେଶ୍ ଚର୍ଚ୍ଚା ।
ଶିକ୍ଷକତା ପରେ ସାମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି ପୁରୁଷୋତ୍ତମ । କିଛି କରିବାର ଆଶା ତାଙ୍କୁ ଦେଇଛି ନୂଆ ପ୍ରେରଣା । ଆଜକୁ ତିନି ବର୍ଷ ହେବ ଏମିତି ଭାବେ ନିଜ ଧର୍ମପତ୍ନୀଙ୍କ ଜନ୍ମ ଦିନ ପାଳନ କରି ଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଉଦଳା ଭରତ ଜ୍ୟୋତି ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ପିଲାମାନଙ୍କ ସହ ହସ ଖୁସିରେ ଜନ୍ମ ଦିନକୁ ପାଳନ କରିଛନ୍ତି ପୁରୁଷୋତ୍ତମ ଓ ତାଙ୍କ ସ୍ତ୍ରୀ ।
ସତରେ କେବଳ ଦିବ୍ୟାଙ୍ଗ ମୁଁହରେ ଟିକେ ହସ ଫୁଟାଇବା ପାଇଁ ସ୍ବାମୀ ସ୍ତ୍ରୀଙ୍କ ଏହି ନିଆରା ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ତାଙ୍କର ଏହି ମହାନତାକୁ ବେଶ ପ୍ରସଂଶା କରୁଛନ୍ତି ସମସ୍ତେ ।
