ପିପିଲି: ମନ୍ଦିର ଉପରେ ଉଡ଼ୁଛି ନେତ । ଆଉ ଏହି ନେତ ହିଁ ବୟାନ କରୁଛି କେତେ ମହାନ ଏହି ପୀଠର ମାହାତ୍ମ୍ୟ । ମନ୍ଦିରର ପ୍ରତିଟି କୋଣରେ ଭରି ରହିଛି ଆଧ୍ୟାତ୍ମିକର ପରିଭାଷା । ଭକ୍ତଙ୍କ ଭକ୍ତି ଭାବନାରେ ସୃଷ୍ଟି ହେଉଛି ଏକ ଭାବମୟ ପରିବେଶ । ଆମ ରାଜ୍ୟରେ ରହିଛି ଅନେକ ଶୈବ ପୀଠ । କିନ୍ତୁ ଏପରି କିଛି ଶୈବ ପୀଠ ରହିଛି ଯେଉଁ ପୀଠ ଗୁଡ଼ିକ ନିଜର ସ୍ବତନ୍ତ୍ରତା ପାଇଁ ଭକ୍ତମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରେ । ତେବେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ହରିରାଜପୁରରେ ରହିଛି ବାବା ସୋମନାଥଙ୍କ ପୀଠ । ଯେଉଁଠି ନିଜର ମନସ୍କାମନା ଜଣାଇବା ପାଇଁ ଭକ୍ତମାନେ ଛୁଟି ଆସିଥାନ୍ତି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ମନ୍ଦିର ୧୨ ଶହ ଖ୍ରୀଷ୍ଟାବ୍ଦର ହୋଇଥିବାବେଳେ ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ର ଦେବ ଏହାକୁ ନିର୍ମାଣ କରିଥିବା କିମ୍ବଦନ୍ତୀ କୁହେ । ତେବେ ଏହି ପୀଠରେ ବର୍ଷ ତମାମ୍ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇଥାଏ । ଠାକୁରଙ୍କ ରୀତିନୀତି ମଧ୍ୟ ସମୟାନୁସାରେ କରାଯାଇଥାଏ । ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି ସହିତ ସର୍ବ ସାଧାରଣ ଦର୍ଶନ ହୋଇଥାଏ । ଠାକୁରଙ୍କ ମୁଖ୍ୟ ଭୋଗ ଭାବରେ ଅନ୍ନ ଡାଲମା ଭୋଗ ଲାଗି କରାଯାଇଥାଏ ।
ପ୍ରତିବର୍ଷ ପରି ଚଳିତ ବର୍ଷ ହରିରାଜପୁର ଗାଁରେ ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପ୍ରତିଷ୍ଠା ଉତ୍ସବ ଏବଂ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଅଗ୍ନି ସ୍ଥାପନ, ରୁଦ୍ରାହୁତି, ଗୀତା ଆହୁତି ଓ ସପ୍ତସତି ଚଣ୍ଡି ଆହୁତି ଭଳି ପୂଜା ଉପଚାର । ବ୍ରାହ୍ମଣ ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ ହୋମ ଯଜ୍ଞର ଆୟୋଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଠାକୁରଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ସୃଷ୍ଟି ହୋଇଥିଲା ଏକ ଭଗବତମୟ ପରିବେଶ । ଦୟା ନଦୀର ପବିତ୍ର ଜଳରୁ କଳସରେ ଜଳ ଆଣି ଯଜ୍ଞରେ କଳସ ସ୍ଥାପନ ସହିତ ନିଷ୍ଠା ପବିତ୍ରତା ଏବଂ ଏକାଗ୍ରତାରେ ଭକ୍ତମାନେ ତିନି ଦିନ ରହି ପୂଜାରେ ସାମିଲ ହୋଇଥିଲେ । ଶେଷରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣାହୁତି ଶେଷ ହେବା ପରେ ସମସ୍ତେ ଏକାଠି ହୋଇ ଠାକୁରଙ୍କ ନାମ ଉଚ୍ଚାରଣ କରିବା ସହିତ ହରିବୋଲ ହୁଳହୁଳିରେ ପ୍ରକମ୍ପିକ ହୋଇଥିଲା ଉତ୍ସବସ୍ଥଳ । ଘଣ୍ଟ ଘଣ୍ଟା ନାମ ସଂକୀର୍ତ୍ତନରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ ।
ସାତ ଦିନ ଧରି ଚାଲିଥିବା ଏହି ମହାଯଜ୍ଞରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଭକ୍ତ ସାମିଲ ହୋଇ ଠାକୁରଙ୍କ କୃପା ଲାଭ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
