ଉମରକୋଟ: ଉଚ୍ଚଶିକ୍ଷା ଲାଭ କରିବା ପରେ ଚାକିରି ପଛରେ ନ ଗୋଡ଼େଇ ନିଜ ବୁଦ୍ଧି ବଳରେ କିଛି ଉପାର୍ଜନ କରିବା ସହ ଜଣେ ସଫଳ ଉଦ୍ୟୋଗୀ ହେବାକୁ ମନ ବଳାଇଛନ୍ତି ଜଣେ ଯୁବତୀ । ନିଜେ ସ୍ୱାବଲମ୍ବୀ ହେବାର ଲକ୍ଷ ରଖିବା ସହ ଅନ୍ୟକୁ ସ୍ୱାବଲମୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଶିଳ୍ପୀରାଣୀ ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ ବସବାସ କରୁଥିବା ଶିଳ୍ପୀରାଣୀ ବିଶ୍ୱାସ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ । ସେ ସେଣ୍ଟ୍ରାଲ ୟୁନିଭର୍ସିଟି ଓଡିଶା ଶିକ୍ଷା ଅନୁଷ୍ଠାନରୁ ଅର୍ଥଶାସ୍ତ୍ରରେ ମାଷ୍ଟର ଡିଗ୍ରୀ କରିଛନ୍ତି । ପିଲାବେଳୁ ଚିତ୍ର ଆଙ୍କିବାରେ ବେଶ ଆଗ୍ରହୀ ଥିଲେ ଶିଳ୍ପୀରାଣୀ । ହେଲେ ସେହି ସମୟରେ କଳାକୁ ପ୍ରଦର୍ଶିତ କରିବାକୁ ସେମିତି କିଛି ମାଧ୍ୟମ ନଥିଲା, ତେଣୁ ସଠିକ ସମୟକୁ ଅପେକ୍ଷା କରି ରହିଥିଲେ । କିଛିଦିନ ପୂର୍ବରୁ “ମଣ୍ଡଳା” ଆର୍ଟ ବିଷୟରେ ୟୁଟ୍ୟୁବରୁ ଦେଖିବା ପରେ ପରୀକ୍ଷାମୂଳକ ଭାବେ ଏକ ଆର୍ଟ ତିଆରି କଲେ । ପରେ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ଯାହାକୁ ଦେଖିବା ପରେ ଲୋକେ ଶିଳ୍ପୀରାଣୀଙ୍କ କଳାକୁ ଖୁବ ପ୍ରଶଂସା କରିଥିଲେ । କେବଳ ଯେ ପ୍ରଶଂସା କରିଥିଲେ ତା ନୁହେଁ ଅନେକ ଲୋକ ଘର ପାଇଁ ଅର୍ଡର ଦେଇଥିଲେ। ଧୀରେ ଧୀରେ ଲୋକଙ୍କ ଅର୍ଡର ସଂଖ୍ୟା ବଢ଼ିବାରେ ଲାଗିଲା । ଆଜି ସୁଦ୍ଧା ସେ ୮୦୦ ଚିତ୍ର ଆଙ୍କି ଲୋକଙ୍କୁ ବିକ୍ରି କରିସାରିଲେଣି । ଏଥିରେ ବେଶ ଭଲ ରୋଜଗାର ମଧ୍ୟ କରୁଛନ୍ତି । ସେ ବିଭିନ୍ନ ଦେବାଦେବୀଙ୍କ ଚିତ୍ରକୁ ଅତି ଚିତାକର୍ଷକ ଭାବେ ଆଙ୍କିଥାନ୍ତି । ବର୍ତ୍ତମାନ ଦେଶ ବାହାରୁ ଯେମିତିକି ଅଷ୍ଟ୍ରେଲିଆ, କାନାଡ଼ା, ଦୁବାଇ ଭଳି ଦେଶରୁ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ରର ଅର୍ଡର ଆସୁଛି । ଦେଶ ବାହାରୁ ଆସିଥିବା ଅର୍ଡରର କାମ ଚାଲିଛି ଖୁବ ଶୀଘ୍ର ସେଗୁଡିକ ପୋଷ୍ଟାଲ ମାଧ୍ୟମରେ ପଠାଇବି ବୋଲି କହିଛନ୍ତି ଶିଳ୍ପୀରାଣୀ । ଏହି ଚିତ୍ର ଅଙ୍କିବାରେ ଯେଉଁ ସବୁ କଲର ବା କଞ୍ଚାମାଲ ବ୍ୟବହାର କରନ୍ତି ସେସବୁ ପରିବେଶ ଅନୁକୂଳ ଏବଂ ସମସ୍ତ କଞ୍ଚାମାଲ ଦିଲ୍ଲୀରୁ ଆଣିବାକୁ ପଡୁଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଆର୍ଟ କ୍ଲାସ ଖୋଲିବା ସହ ସ୍ଥାନୀୟ ଯୁବତୀଙ୍କୁ କର୍ମ ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ଲକ୍ଷ ରଖିଛନ୍ତି।
ଶିଳ୍ପୀଙ୍କ ଏହି ସଫଳତାକୁ ଦେଖି ବେଶ ଖୁସି ଅଛନ୍ତି ସାଙ୍ଗସାଥି । ସେ ଉଚ୍ଚ ଶିକ୍ଷା ପରେ ମଧ୍ୟ ଚିତ୍ର କଳା ପ୍ରତି ଆକୃଷ୍ଠ ହୋଇ ଅର୍ଥ ରୋଜଗାର କରୁଛନ୍ତି ଖବର ଶୁଣି ସମସ୍ତେ ଖୁସି ଅନୁଭବ କରୁଛନ୍ତି । ଏଭଳି ପ୍ରୟାସ ଜାରି ରହିଲେ ସେ ଆଗାମୀ ଦିନରେ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ଉଭା ହୋଇ ପାରିବେ ।
