ଭୁବନେଶ୍ୱର : ଓଡ଼ିଶା ପାଇଁ ନୈରାଶ୍ୟଜନକ ବଜେଟ୍ କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ଯବାସୀ ଆଶା ରଖିଥିଲେ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାକୁ ଗତିଶୀଳ ଦେବେ। କିନ୍ତୁ ବଜେଟରେ ଓଡ଼ିଶାକୁ ବହୁତ କମ ମିଳିଛି। ଓଡ଼ିଶାରେ ରେୟାର ଆର୍ଥ କରିଡର ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ନବୀନ । ଓଡ଼ିଶା ଅନେକ ପ୍ରମୁଖ ଖଣିଜ ଦ୍ରବ୍ୟର ଅଗ୍ରଣୀ ଉତ୍ପାଦନକାରୀ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ଦେଶ ଗଠନରେ ସବୁବେଳେ ଯୋଗଦାନ ଦେଇ ଆସିଛି ।
ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ଯୋଡ଼ିବା ପାଇଁ ପୁଣିଥରେ ଜାତୀୟ ଜଳପଥ ପ୍ରତିଷ୍ଠା ଘୋଷଣା କରାଯାଇଛି । କିନ୍ତୁ ଏହା ଗତ ଦଶବର୍ଷ ଧରି କେବଳ ଘୋଷଣାରେ ସୀମିତ ରହିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା । ସହରଗୁଡ଼ିକ ମଧ୍ୟରେ ସାତଟି ହାଇ-ସ୍ପିଡ୍ ରେଳ କରିଡରକୁ ‘ବିକାଶର ସଂଯୋଗକାରୀ’ ଭାବେ ବିକଶିତ କରିବା ଘୋଷଣାରେ ଓଡ଼ିଶା ସ୍ଥାନ ପାଇନଥିବା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ନିରାଶା । ଆମର ‘ଡାଇମଣ୍ଡ ଟ୍ରାଇଙ୍ଗଲ୍’ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସ୍ଥଳ ଥିବା ସତ୍ତ୍ୱେ ବୌଦ୍ଧ ସର୍କିଟ୍ ବିକାଶ ଯୋଜନାରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆଯିବା ବାସ୍ତବରେ ଚକିତ କରୁଛି ।
ସାମଗ୍ରିକ କେନ୍ଦ୍ର ବଜେଟରୁ ଜଣାପଡୁଛି ଯେ, କେବଳ ପ୍ରାକୃତିକ ସମ୍ପଦ ନେଇଯିବା ପାଇଁ ଓଡ଼ିଶାକୁ ଅନୁଦାନ ମିଳୁଛି ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସମ୍ପଦ ବଣ୍ଟନ କଥା ଆସିଲେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଏବେ ସମୟ ଆସିଛି ରାଜ୍ୟ ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।
