କାକଟପୁର: ଅଣାକାର ଗାଦିବ୍ରହ୍ମଙ୍କ ପୀଠରେ ଆରମ୍ଭ ହୋଇଛି ମାଘ ସପ୍ତମୀ ବୁଡ । ସେପଟେ ଚାଲିଛି ବିଶ୍ବ ଶାନ୍ତି ମହାଯଜ୍ଞ । ଯଜ୍ଞର ବେଦଧ୍ୱନି ସହିତ ଘୃତାହୁତି ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି । ଏ ହେଉଛି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଆଳସାହି ଗାଁର ଅଣାକାର ଗାଦିବ୍ରହ୍ମଙ୍କ ପୀଠ । ଏହି ପୀଠରେ ଚାଲିଛି ମାଘ ବୁଡ଼ । ତେଣୁ ଚଳଞ୍ଚଚଳ ହୋଇଉଠିଛି ପୂରା ପରିବେଶ । ପୀଠଟି ଦୀର୍ଘ ୪୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଗାଦିବ୍ରହ୍ମଙ୍କ ନିକଟରେ ରହିଥିବା ମନ୍ଦିରଟି ୧୯୨୫ ମସିହାରେ ନିର୍ମାଣ କରାଯାଇଥିଲା । ଆଖିକୁ ଦେଖାଯାଉଥିବା ଏହି ଛୋଟ ମନ୍ଦିରଟି ଅନେକ ହଜି ଯାଇଥିବା ଇତିହାସକୁ ଛାତିରେ ଏବେ ବି ଜାବୁଡି ଧରି ରଖିଛି ।
ରୋଗ, ବୈରାଗ୍ୟ, ସୁଖ ଦୁଃଖର ଏକ ମାତ୍ର ଆରାଧ୍ୟ ଠାକୁର ହେଉଛନ୍ତି ଏହି ଅଣାକାର ଗାଦିବ୍ରହ୍ମ । ବିଶ୍ବାସ ରହିଛି କୌଣସି ବି ରୋଗ ହେଲେ ଲୋକମାନେ ଅଣାକାର ଗାଦିବ୍ରହ୍ମଙ୍କ ଶରଣ ନେଇ ତାଙ୍କ କୃପାରୁ ଆରୋଗ୍ୟ ଲାଭ କରନ୍ତି । କିନ୍ତୁ ଧୀରେ ଧୀରେ ଏହି ପୀଠଟି ଜରାଜୀର୍ଣ୍ଣ ହୋଇ ଲୋକମାନଙ୍କ ମନରୁ ଲିଭିଯିବାକୁ ବସିଥିଲା । ଏହି ସମୟରେ ଅଠତିରା ଗାଁର ଅରୁଣ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଜନ୍ମ ନେଲା ଏକ ସଂଗଠନ ମୋ ଗାଁ ,ମୋ ଗର୍ବ ନାମକ ଅନୁଷ୍ଠାନ । ଏହି ଅନୁଷ୍ଠାନରେ ଆଖପାଖ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ବର୍ଗର ଲୋକମାନେ ଯୋଡି ହେଲେ । ଏହାରି ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ, ପରମ୍ପରାକୁ ପ୍ରାଥମିକତା ଦେବା ସହିତ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ସମସ୍ତ ସଦସ୍ୟ । ପ୍ରଥମ କାର୍ଯ୍ୟ ଭାବେ ଏହି ଅଣାକାର ଗାଦି ବ୍ରହ୍ମଙ୍କ ହଜିଯାଇଥିବା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡିଲେ । ଏହି ପୀଠ ଠାରେ ମାଘ ସପ୍ତମୀ ଦିନ ‘ବୁଡ’ ଆରମ୍ଭ ହେଉଥିଲା, ତେଣୁ ଏଠାକୁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆସୁଥିଲେ । ସେହି ପରମ୍ପରା ଅନୁଯାୟୀ ଦୀର୍ଘ ୪୦ ବର୍ଷ ପରେ ଅର୍ଥାତ ଚଳିତ ବର୍ଷ ଏଠାରେ ଆରମ୍ଭ କରାଯାଇଛି ମାଘ ବୁଡ । ପୂର୍ବ ପରମ୍ପରାକୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି ସମସ୍ତେ ।
ଏହି ଅବସରରେ ଅଞ୍ଚଳର ଲୋକମାନଙ୍କ ପାଇଁ ପ୍ରଥମ ଥର ମହାପ୍ରଭୁ ଜଗନ୍ନାଥଙ୍କ ୧୦ ଟି ବେଶକୁ ପ୍ରଦର୍ଶିତ କରାଯାଇଥିବା ଦେଖିବାକୁ ମିଳିଛି । ଶତାଧିକ ଲୋକମାନେ ଏଠାରେ ଏକାଠି ହୋଇ ଭଗବତ କୃପା ଲାଭ ସହିତ ମହାପ୍ରଭୁଙ୍କ ୧୦ ଗୋଟି ବେଶ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁମାନଙ୍କ ହରିନାମ ସଂକୀର୍ତ୍ତନରେ ଅଣାକାର ଗାଦିବ୍ରହ୍ମ ପୀଠରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।
ଏହି ଗାଦି ପୀଠରେ ରହିଥିବା ପୁରାତନ ବାଞ୍ଛା କଳ୍ପ ବୃକ୍ଷଟି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ବୃକ୍ଷ ମୂଳରେ ମହାପୁରୁଷ ସାଧନାରେ ନିମଗ୍ନ ରହି ଗାଦିବ୍ରହ୍ମରେ ରୂପାନ୍ତରିତ ହୋଇଥିବା କିମ୍ବଦନ୍ତୀ ରହିଛି । ସେହି କିମ୍ବଦନ୍ତୀ ଅନୁଯାୟୀ ଏହି ବୃକ୍ଷଟି ୪୦୦ ବର୍ଷ ପୁରାତନ ବୋଲି ଲୋକମାନେ କହିଥାନ୍ତି ।
ଏଠାକୁ ଆସୁଥିବା ଗ୍ରାମବାସୀମାନେ ଗାଦି ଗୋସେଇଁଙ୍କ ଦର୍ଶନ ସାରି ଜଗନ୍ନାଥ କଥା ଶ୍ରବଣ ପାଇଁ ପ୍ରବଚନର ବ୍ୟବସ୍ଥା କରାଯାଇଛି । ଜଗନ୍ନାଥ କଥା ଶୁଣିବା ପାଇଁ ଶତାଧିକ ମହିଳା ଓ ପୁରୁଷମାନେ ଏକଜୁଟ ହେଉଛନ୍ତି ।
