କଟକ : ଛାତ୍ରଛାତ୍ରୀଙ୍କ ପାଇଁ ସିଏମସିର ନୂଆ ପଦକ୍ଷେପ । ଆରମ୍ଭ ହେବ ‘ଗୋଟିଏ ଦିନ କମିଶନରଙ୍କ ସହ’ କାର୍ଯ୍ୟକ୍ରମ । ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ଓ ଯୁବ ମନସ୍ତତ୍ବରେ ନେତୃତ୍ବର ଭାବନା ଗଢ଼ିବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଏକ ନୂଆ ଓ ଅଭିନବ ଛାତ୍ର-ସଂଲଗ୍ନତା କାର୍ଯ୍ୟକ୍ରମ “ଗୋଟିଏ ଦିନ କମିଶନରଙ୍କ ସହ” ଆରମ୍ଭ ହେବାକୁ ଯାଉଛି ।
ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମ ଅଧିନରେ ଥିବା ଯେକୌଣସି ସ୍କୁଲର ଜଣେ ଛାତ୍ର, ଛାତ୍ରୀ କଟକ ମହାନଗର ନିଗମର କମିଶନର ସୁଶ୍ରୀ କିରଣଦୀପ କୌର ସହୋତା ଙ୍କ ସହ ଗୋଟିଏ ଦିନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଏନେଇ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଠୁ କଟକ ମହାନଗର ନିଗମର ୱେବସାଇଟରେ ଉପଲବ୍ଧ ଗୁଗୁଲ୍ ଫର୍ମ ମାଧ୍ଯମରେ ଆବେଦନ କରିପାରିବେ । ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ୫୦ ମାର୍କର ଏକ ଲିଖିତ ପରୀକ୍ଷା ଦେବେ ।
ଏଥିରେ ଦିଆଯାଇଥିବା ୫ଟି ବିଷୟ ମଧ୍ୟରୁ ଗୋଟିଏ ବିଷୟ ଚୟନ କରି ଓଡ଼ିଆ ଭାଷାରେ ୮୦୦ ରୁ ୧୦୦୦ ଶବ୍ଦ ମଧ୍ଯରେ ଏକ ନିବନ୍ଧ ଲେଖିବାକୁ ପଡ଼ିବ ସେହି ଲେଖାଟିକୁ ୧ ଏମ୍ବିରୁ କମ୍ ଆକାରରେ ଫାଇଲ୍ ଭାବେ ୱେବସାଇଟରେ ଅପଲୋଡ୍ କରିବେ । NCC, Scouts and Guides, NSS, ସାମାଜିକ ସଚେତନତା କାର୍ଯ୍ୟ, ରେଡକ୍ରସ, କ୍ରୀଡା କ୍ଷେତ୍ରରେ ଉପଲବ୍ଧି, ବିଜ୍ଞାନ ସମ୍ୱନ୍ଧୀୟ ନୂଆ ପ୍ରକଳ୍ପ, ନୂଆ ପ୍ରଣାଳୀର ଆବିଷ୍କାର, ସାଂସ୍କୃତିକ ଓ ଅଭିନବ କାର୍ଯ୍ୟ, ଡିଜିଟାଲ ସ୍ଵାକ୍ଷରତା ଓ ସାଇବର ସଚେତନତା କାର୍ଯ୍ୟକ୍ରମରେ, ବିପର୍ଯ୍ୟୟ ପରିଚାଳନା ସଚେତନତାରେ ଅଂଶଗ୍ରହଣ ଓ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ କର୍ମଶାଳା, ବକ୍ତୃତା, ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ଅଭିନୟ, ଜାତୀୟ ସ୍ଵଚ୍ଛତା ଅଭିଯାନ, ଭୋଟର ସଚେତନତା କାର୍ଯ୍ୟକ୍ରମ, ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ, ସ୍କୁଲ କମିଟି କିମ୍ବା କ୍ଳବରେ ନେତୃତ୍ବ ପ୍ରଭୃତି ୧୦ଟି ବର୍ଗରେ ଅଂଶ ଗ୍ରହଣ କରିପାରିବେ ।
ଏବଂ ମନୋନୀତ ହୋଇଥିବା ଛାତ୍ର କିମ୍ବା ଛାତ୍ରୀ କମିଶନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ନଗର ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ପ୍ରଣାଳୀକୁ ନିକଟରୁ ଦେଖିବା ସହ ରିଭ୍ୟୁ ବୈଠକରେ ଅଂଶଗ୍ରହଣ କରିବେ । କେବଳ ସେତିକି ନୁହେଁ ସହର ପରିଚାଳନା ବିଷୟରେ ଅବଗତ ଓ ସ୍ବଚ୍ଛତା, ଅବଶିଷ୍ଟ ପରିଚାଳନା ସମ୍ପର୍କିତ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବାର ଅନୁଭବ କରିପାରିବେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସ୍ବପ୍ନ ଦେଖିବା, ଦାୟିତ୍ବବୋଧ ଗଢ଼ିବା ଓ ପ୍ରଶାସନିକ ସେବା ପ୍ରତି ଆକର୍ଷିତ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣଦୀପ କୌର ସହୋତା ।
