ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ସରକାରୀ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଏବଂ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟମାନେ ପ୍ରଥମ ଦିନରୁ ଦାବି କରିଛନ୍ତି। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାରମ୍ବାର ନିବେଦନ ସତ୍ତ୍ବେ ବିରୋଧୀ ସାଂସଦମାନେ ସେମାନଙ୍କ ପ୍ରତିବାଦ ଜାରି ରଖିବାରୁ ସେ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ନରେ ସଦସ୍ୟମାନେ ପୂର୍ବ ଭଳି ଆଚରଣ ଜାରି ରଖିବାରୁ ବାଚସ୍ପତି ଲୋକସଭାକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରିଥିଲେ। ସ୍ଲୋଗାନ୍ ଓ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି କେନ୍ଦ୍ରୀୟ ଉତ୍ପାଦ (ସଂଶୋଧନ) ବିଲ୍ ୨୦୨୫, ସ୍ବାସ୍ଥ୍ୟ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସେସ୍ ବିଲ୍ ୨୦୨୫, ମଣିପୁର ସାମଗ୍ରୀ ଓ ସେବା ଟିକସ (ଦ୍ବିତୀୟ ସଂଶୋଧନ) ବିଲ୍ ୨୦୨୫ ଆଗତ କରିଥିଲେ। ଏଥିସହିତ ଜନ ବିଶ୍ବାସ (ସଂଶୋଧନ) ବିଲ୍ ୨୦୨୫ ଉପରେ ସିଲେକ୍ଟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ସମୟସୀମା ଚଳିତ ଅଧିବେଶନର ଦ୍ବିତୀୟ ସପ୍ତାହର ଶେଷ ଦିନ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିଭଳି ଦେବାଳିଆ କୋଡ୍(ସଂଶୋଧନ) ବିଲ୍ ୨୦୨୫ ଉପରେ ସିଲେକ୍ଟ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ଚଳିତ ଅଧିବେଶନର ଶେଷ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
