ଭୁବନେଶ୍ବର: ରାଜ୍ୟରେ ଏବେ ୭୪୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ତାହା ମଧ୍ୟରୁ ୨୦୧୫୦ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୭୩୮୯ଟି କେନ୍ଦ୍ରର ଘର ନିର୍ମାଣାଧୀନ ଅଛି। ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଥିଲେ। ତେବେ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ବିଳମ୍ବ ହେଉଥିବାରୁ ବିଧାୟକମାନେ ଉଦ୍ବେଗ ପ୍ରକାଶ କରିଥିଲେ। କେଉଁଠି ଟେଣ୍ଡର୍ ହୋଇ ତିନି ବର୍ଷ ହେଲା ନିର୍ମାଣ ହେଉନି ତ କେଉଁଠି ନିର୍ମାଣ ସରିଥିଲେ ବି କାର୍ଯ୍ୟକ୍ଷମ ହେଉନି। କିଛି ଅଞ୍ଚଳରେ ସରକାରୀ ଜାଗା ନଥିବାରୁ ଅଙ୍ଗନାବଡ଼ି କେନ୍ଦ୍ର ନିର୍ମାଣ ପ୍ରତି ଧ୍ୟାନ ଦିଆଯାଉନି। ପୁଣି ମନରେଗାରେ ବୈଷୟିକ ତ୍ରୁଟି ଯୋଗୁ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପ୍ରଭାବିତ ହେଉଛି। କିଛି ବିଧାୟକ ଏହା ମଧ୍ୟ ଅଭିଯୋଗ କରିଥିଲେ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ବଜେଟ୍ ଥିଲା ବେଳେ କିଛି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଅଧପନ୍ତରିଆ ରହିଛି। ସେହି ବଜେଟ୍ରେ ତାହାକୁ ସମ୍ପୂର୍ଣ୍ଣ କରିବା ସମ୍ଭବ ନୁହେଁ। ଏ ଦିଗ ପ୍ରତି ସରକାର ଚିନ୍ତା କରନ୍ତୁ। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଗୃହ ନିର୍ମାଣ କରନ୍ତୁ। ଭଡ଼ାଘରେ ଚାଲିଥିବା କିଛି କେନ୍ଦ୍ରରେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ପିଲା ପଢ଼ୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।
