ରାୟଗଡ଼ା: ୟୁକାଲିପଟାସ ବା ନୀଳଗିରି ଗଛ ପରିବେଶ ପାଇଁ ବିପଦ ସାଜିଥିବା ନେଇ ଆଲୋଚନା ହୋଇ ତର୍କ ବିତର୍କ ହେଉଥିବା ବେଳେ ରାୟଗଡ଼ା ଜିଲ୍ଲାରେ କିନ୍ତୁ ଦିନକୁ ଦିନ ଏହି ବୃକ୍ଷର ଚାଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏପରିକି କିଛି ବ୍ୟକ୍ତି ଏହି ଚାଷ ସରକାରୀ ଜମିରେ ଆରମ୍ଭ କରିଥିବା ବେଳେ କିଛି ସ୍ଥାନରେ ଜଙ୍ଗଲ ପଦା କରି ନୀଳଗିରି ଚାଷ କରିଥିବା ଦେଖିବାକୁ ମିଳିଛି। ରାୟଗଡ଼ା ସଦର ବ୍ଲକର ବହୁ ଅଞ୍ଚଳରେ ନୀଳଗିରି ଚାଷ ବେଆଇନ ଭାବେ ଚାଷ ହେଉଥିବା ଦେଖିବାକୁ ମିଳିଛି ।
ସବୁଠାରୁ ଚିନ୍ତାର ବିଷୟ ଏନେଇ ନା ଜଙ୍ଗଲ ବିଭାଗରେ ଖବର ରହୁଛି ନା ରାଜସ୍ବ ବିଭାଗରେ। ଜଙ୍ଗଲ କଟାହୋଇ ନୀଳଗିରି ଚାଷ ହେଉଥିବା ଜ୍ବଳନ୍ତ ଦୃଶ୍ୟ ରାୟଗଡ଼ା ବ୍ଲକ ମାଟିକଣା ଆଦର୍ଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ପରିବେଶ ବିଶେଷଜ୍ଞମାନେ ନୀଳଗିରି ବୃକ୍ଷ ସଂପର୍କରେ କୁହନ୍ତି ଯେ ନୀଳଗିରି ବୃକ୍ଷ ଯେଉଁଠାରେ ଦେଖାଯାଏ ସେହି ଅଞ୍ଚଳରେ ଭୂତଳ ଜଳ ନିମ୍ନଗାମୀ ହେବା ସହ ଅନ୍ୟାନ୍ୟ ଚାଷ ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବିତର୍କ ମଧ୍ୟ ଚାଲିଛି । ଏନେଇ ରାୟଗଡ଼ା ସ୍ବଂୟସହାୟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପରିବେଶବିତ ଡ ପ୍ରସନ୍ନ କୁମାର ଗନ୍ତାୟତ କହିଛନ୍ତି କିଛି ବର୍ଷ ହେଲା ଲୋକ ମାନେ ୟୁକାଲିପଟାସ ବୃକ୍ଷକୁ ବିଭିନ୍ନ ଖାଲି ସ୍ଥାନରେ ଅର୍ଥ ରୋଜଗାର ପାଇଁ ଲଗାଉଛନ୍ତି । ନୀଳଗିରି ବୃକ୍ଷ କମ ମାଟିରେ ଦ୍ରୃତ ଗତିରେ ବଢ଼ିଥାଏ ଏବଂ ଏହାକୁ ପରବର୍ତି ଯତ୍ନ ବିଶେଷ ନେବାକୁ ପଡିନଥାଏ । ଏଭଳି ବୃକ୍ଷ ରାୟଗଡ଼ା ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ପୂର୍ବଭଳି ବିଭିନ୍ନ ଡାଲି ଜାତୀୟ ଶସ୍ୟ ଚାଷ କମିବା ସହ ଉତ୍ପାଦନ ବହୁମାତ୍ରାରେ ହ୍ରାସ ପାଇଥିବା ସରକାରୀ ତଥ୍ୟରୁ ଜଣାପଡିବ ବୋଲି ଶ୍ରୀ ଗନ୍ତାୟତ ପ୍ରକାଶ କରିଛନ୍ତି ।
