ଉତ୍ତରପ୍ରଦେଶ : ଆଜି ରାମ ମନ୍ଦିରରେ ଲାଗିବ ଧର୍ମଧ୍ବଜା । ଉତ୍ସବମୁଖର ଅଯୋଧ୍ୟା ନଗରୀ । ପାଖେଇ ଆସୁଛି ଐତିହାସିକ ମୂହୁର୍ତ୍ତ । ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା । ଆହୁରି ସୁନ୍ଦର ହୋଇଯିବ ଦିବ୍ୟ ମନ୍ଦିର । ଆଜି ଧ୍ବଜାରୋହଣ ଉତ୍ସବ ହେବ । ଶିଖରରେ ଉଡିବ ଗେରୁଆ ପତାକା । ଧ୍ୱଜାରୋହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ଦିରର ଶିଖରରେ ଥିବା ଗୈରିକ ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିବେ ମୋଦି । ଦଶ ଫୁଟ ଉଚ୍ଚତା ଏବଂ ୨୦ ଫୁଟ ଲମ୍ବ ବିଶିଷ୍ଟ ଏହି ପତାକା । ଭଗବାନ ଶ୍ରୀ ରାମଙ୍କ ତେଜ, ବୀରତ୍ୱ ଏବଂ ରାମ ରାଜ୍ୟର ଆଦର୍ଶକୁ ପ୍ରତିପାଦିତ କରୁଥିବା ଏହି ପତାକାରେ ରହିଛି କୋଭିଦାର ବୃକ୍ଷ ଏବଂ ‘ଓଁ’ ଲେଖା ସହ ଉଜ୍ଜ୍ୱଳ ସୂର୍ଯ୍ୟଙ୍କର ଚିତ୍ର ରହିଛି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶ୍ରୀରାମ ଏବଂ ମାତା ସୀତାଙ୍କ ବିବାହ ପଞ୍ଚମୀରେ ଅନୁଷ୍ଠିତ ହେବ ।
ସକାଳ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ସପ୍ତମନ୍ଦିର ମଧ୍ୟ ପରିଦର୍ଶନ କରିବେ । ଯେଉଁଠାରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମୀକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହ ଏବଂ ମାତା ଶବରୀଙ୍କ ମନ୍ଦିର ରହିଛି ।ସକାଳ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ଦର୍ଶନ କରିବେ। ଏହା ପରେ ସେ ରାମ ଦରବାର ଗର୍ଭଗୃହରେ ଦର୍ଶନ ଓ ପୂଜା କରିବେ । ତାପରେ ରାମ ଲାଲା ଗର୍ଭଗୃହରେ ଦର୍ଶନ କରିବେ। ଦିନ ପ୍ରାୟ ୧୨ଟାରେ ମନ୍ଦିରର ଶିଖରରେ ଥିବା ଧର୍ମ ଧ୍ବଜା ଉତ୍ତୋଳନ କରିବେ । ଏହା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ପ୍ରତୀକ । ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ।
