ଭୁବନେଶ୍ୱର: ଆଜି କନକ ନ୍ୟୁଜ୍ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି। ଏହି କନକ୍ଲେଭରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ଯୋଗ ଦେଇ କହିଛନ୍ତି, ଆମେ ଏବେ ଏଆଇ ଯୁଗରେ ରହୁଛେ। ଆଉ ଆମ ହାତରେ ଥିବା ଆମକୁ ଏମିତି ଗୋଟିଏ ଦୁନିଆକୁ ନେଇଯାଉଛି, ଯାହା ଆମ ଭିତରେ ଥିବା ଚିନ୍ତା କରିବାର କ୍ଷମତାକୁ ଅନ୍ୟ ଉପରେ ନିର୍ଭର କରାଉଛି।
ସେ ଆହୁରି କହିଛନ୍ତି, ବିଶ୍ୱଗୁରୁ ହେବାକୁ ହେଲେ, ଆମକୁ କିଛି ନୂଆ କରିବାକୁ ପଡ଼ିବ। ହେଲେ ଗତ କିଛି ବର୍ଷ ଭିତରେ ଭାରତରେ ସାମ୍ବାଦିକତା ବହୁତ ତଳକୁ ଖସିସାରିଛି। ଆମେରିକାରେ ଟ୍ରମ୍ପଙ୍କୁ ଆଜି ବି ଆଖିରେ ଆଖି ମିଶାଇ ସାମ୍ବାଦିକମାନେ ପ୍ରଶ୍ନ କରୁଛନ୍ତି। ହେଲେ ଆମେ କାହିଁକି ପ୍ରଶ୍ନ କରିବାର ଶକ୍ତି ହରାଇଛେ। ପ୍ରଶ୍ନ କରିବା ଆମେ କାହିଁକି ଭୁଲିଯାଉଛେ। ଏପରି ହେଲେ ଆମେ ବିଶ୍ୱଗୁରୁ ହୋଇପାରିବା ନାହିଁ। ଯଦି ଗାନ୍ଧିଜୀ ଇଂରେଜଙ୍କ ଆତଙ୍କ ବିରୋଧରେ ଠିଆ ହୋଇନଥାନ୍ତେ, ଆମେ କଣ ସ୍ୱାଧୀନ ହୋଇଥାନ୍ତେ । ଇଂରେଜଙ୍କ ଲାଠି ଯଦି ଗାନ୍ଧିଜୀଙ୍କ ଅଣ୍ଟା ଭାଙ୍ଗିବାର ଭୟ ଥାଆନ୍ତା, ଭଗତ ସିଂଙ୍କୁ ଯଦି ଫାଶୀ ହେବାର ଭୟ ରହିଥାନ୍ତା ତେବେ ଆମେ କଣ ସ୍ୱାଧୀନ ହୋଇଥାନ୍ତେ। ଆମେ ସତ କହିବାକୁ କାହିଁକି ଭୁଲିଯାଇଛେ। ଏଥିସହ ସେ କହିଛନ୍ତି ଆମେ ସବୁବେଳେ ବିଦେଶୀ ଲୋକଙ୍କ କଥା ଶୁଣୁଛେ, ଆଉ ନିଜ ଲୋକଙ୍କୁ ଭୁଲିଯାଉଛେ।
