ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ। ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ତଦନ୍ତ। ଅଟକ ୧୭ ଜଣଙ୍କର ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ଜଣା ପଡ଼ିବ ପ୍ରକୃତ ତଥ୍ୟ।
କଲିକତାର ମୁର୍ଶିଦାବାଦ ଅଞ୍ଚଳର ୧୭ ଜଣ ଲୋକ ଭଦ୍ରକ ଆସୁଥିଲେ। ସେମାନଙ୍କୁ ଭଦ୍ରକର ଟାଉନ ପୁଲିସ ଭଦ୍ରକ ବସଷ୍ଟାଣ୍ଡ ନିକଟରୁ ଠାବ କରିବା ସହ ପଚରାଉଚରା କରିଥିଲା। ସେମାନଙ୍କ ଗତିବିଧି ଓ କଥାବାର୍ତ୍ତାରୁ ପୁଲିସର ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ରାତ୍ରି କାଳୀନ ବିଶ୍ରାମଗାରରେ ଅଟକ ରଖିଛି। ଅଟକ ଥିବା ଏହି ବ୍ୟକ୍ତିମାନଙ୍କର ଆଧାର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି ପୁଲିସ। ଯାଞ୍ଚ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ଏସ ପି ଶ୍ରୀ ରାଉତ କହିଛନ୍ତି।ଏଣେ ଓଡ଼ିଶାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି । ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।
