ଭୁବନେଶ୍ବର: ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିରେ ସେ ଜିଲ୍ଲାପାଳମାନଙ୍କୁ ୯ଟି ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିସନ୍ ପାୱାରକୁ ଗୁରୁତ୍ୱ ଦେଇଛନ୍ତି । ସେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ସରକାରୀ ଦପ୍ତରରେ ଓଡ଼ିଆ ଭାଷାର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗର ଚିଠିପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।
