ରାଉରକେଲା/ରାଜାମୁଣ୍ଡା/ବେଦବ୍ୟାସ/ଗୁରୁଣ୍ଡିଆ: ଦୀପାବଳିରେ ବିଭିନ୍ନ ସ୍ଥାନରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ଓ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଲୁଙ୍ଗା ଗୋଇଭଙ୍ଗାର ଅମର ଚାନ୍ଦ ଯାଦବ (୫୯), ବିହାର ରାକସୋଲର ଟ୍ରେଲର ଡ୍ରାଇଭର କ୍ରିଷ୍ଣା ମାହାତୋ (୨୯) ଓ ଗୁରୁଣ୍ଡିଆ ବନେଇକଲା ସାପଲତାର ବୁଦୁ ଓରାମ (୩୨)। ଗୁରୁତରମାନେ ହେଲେ ବାସନ୍ତୀକଲୋନି ମାଲଗୋଦାମ ରୋହନ ବିଶ୍ବକର୍ମା (୧୯), ସନ୍ତୋଷ ମହାଦେବ (୨୧) ଓ ଶ୍ରୀକାନ୍ତ ସିଂହ୍ନା (୨୦)। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଛେଣ୍ଡ, ଗୁରୁଣ୍ଡିଆ, ଚାନ୍ଦିପୋଷ, ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଅମର ଚାନ୍ଦ ଯାଦବ ବାଇକ୍ରେ କଲୁଙ୍ଗାରୁ ଗୋଇଭଙ୍ଗାସ୍ଥ ଘରକୁ ଫେରୁଥିଲେ। ଘରୁ ଯିବା ରାସ୍ତାରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜାତୀୟ ରାଜପଥ ୧୪୩ ନଂ ବିରତୋଳା ନିକଟରେ ଲୁହା ବୋଝେଇ ଟ୍ରେଲର (ଓଡି ୨୯ପି-୯୭୧୭) ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଡ୍ରାଇଭର କ୍ରିଷ୍ଣା ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ଚାନ୍ଦିପୋଷ ପୁଲିସ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କଟର ସହାୟତାରେ କାଟି କ୍ରିଷ୍ଣାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ସେମିତି ବୁଦୁ ଓରାମ ବାଇକ (ଓଡି ୧୪ଏକ୍ସ -୫୨୨୨)ରେ ବନେଇକଳା ସାପଲତା ଗ୍ରାମକୁ ଫେରୁଥିଲେ। ଘରୁ ଫେରିବା ବାଟରେ ହମ୍ପସ୍ରେ ଭାରସାମ୍ୟ ହରାଇ ବାଇକ୍ରୁ ତଳେ ଛିଟ୍କି ପଡିଥିଲେ। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାରକରି ଗୁରୁଣ୍ଡିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁଣ୍ଡିଆ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗତକାଲି ରାତି ପ୍ରାୟ ୯ଟାରେ ଡାକ୍ତର ଓ ତାଙ୍କ ପତ୍ନୀ ରିଂରୋଡ ଦେଇ ସେକ୍ଟର ଆଡକୁ ଯାଉଥିଲେ। ଛେଣ୍ଡରୁ ରୋହନ ବିଶ୍ବକର୍ମା ଓ ତାର ଅନ୍ୟ ଦୁଇ ସାଙ୍ଗ ସନ୍ତୋଷ ଓ ଶ୍ରୀକାନ୍ତ ବାସନ୍ତୀକଲୋନି ଦେଇ ମାଲଗୋଦାମ ଯାଉଥିଲେ। ଛେଣ୍ଡକଲୋନି ରିଂ ରୋଡଛକରେ ବାଇକ୍ ଓ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଡାକ୍ତର ଓ ତାଙ୍କ ପତ୍ନୀ ଅଳ୍ପକେ ବର୍ତ୍ତିଯାଇଥିଲେ।
