ଭୁବନେଶ୍ବର: ସ୍ନାନଯାତ୍ରା ତିଥି ମାନିବୁ। ସାରା ବିଶ୍ବରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଆୟୋଜନ କରିବୁ। କିନ୍ତୁ ରଥଯାତ୍ରା ତିଥି ଅନୁସାରେ ପାଳନ କରିପାରିବୁନି। ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ ରଥଯାତ୍ରା ଆୟୋଜନ ମତରେ ଆମେ ସହମତ ନୋହୁଁ। ଗତ ଅକ୍ଟୋବର ୧୯ ତାରିଖରେ ପୁରୀଗଜପତି ମହରାଜା ଦିବ୍ୟସିଂହ ଦେବଙ୍କୁ ଏଭଳି ଢଙ୍ଗରେ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗସ୍ଥିତ ମାୟାପୁର ଇସ୍କନ୍ ଗଭର୍ଣ୍ଣିଂ ବଡ଼ି କମିସନ୍ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ। ଯାହାକୁ ନେଇ ଗଜପତି ମହାରାଜା ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି। ପୁଣି ଥରେ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ଚିଠି ଲେଖି ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିଠାରୁ ୯ ଦିନ ଭିତରେ ସୁବିଧା ଅନୁସାରେ ରଥଯାତ୍ରା ଆୟୋଜନ ପାଇଁ କହିଛନ୍ତି। ଏହା ବ୍ୟତିରେକ ଅନ୍ୟ କୌଣସି ଦିନ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ। ଅତିଥିରେ ରଥଯାତ୍ରା ଆୟୋଜନକୁ ସନାତନ ଧର୍ମର ଶ୍ରେଷ୍ଠ ଗୁରୁ ଗୋବର୍ଦ୍ଧନ ମଠ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ବି ଦୃଢ଼ ବିରୋଧ କରିଛନ୍ତି ବୋଲି ଗଜପତି ଚିଠିରେ କହିଛନ୍ତି।
ବର୍ଷ ବର୍ଷ ଧରି ଇସ୍କନ୍ ଅତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରି ଶ୍ରୀଜଗନ୍ନାପ୍ରେମୀଙ୍କ ଭକ୍ତିଭାବ ପ୍ରତି କୁଠାରାଘାତ କରି ଆସୁଛି। ଏ ସଂପର୍କରେ ଶେଷଥର ଗତ ସେପ୍ଟେମ୍ବର ୬ ତାରିଖରେ ଗଜପତି ମାୟାପୁର ଇସ୍କନ୍ ଗଭର୍ଣ୍ଣିଂ ବଡି କମିସନ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଣୁ ଏହି ତିଥିରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ପାଇଁ ନିବେଦନ କରିଥିଲେ। ଚିଠି ସହ ୧୦୦ ପୃଷ୍ଠା ସମ୍ବଳିତ ଶାସ୍ତ୍ରାନୁମୋଦିତ ତଥ୍ୟ ଓ ପ୍ରମାଣ ବି ପଠାଇଥିଲେ। ହେଲେ ଉତ୍ତର ଦେଇ ଶ୍ରୀ ଦାସ ସ୍ନାନଯାତ୍ରା ତିଥି ଅନୁସାରେ ପାଳନ ନେଇ ସହମତି ଦେଇଥିବା ବେଳେ ରଥଯାତ୍ରା ପାଇଁ ଅସହମତି ପ୍ରକାଶ କରିଛନ୍ତି।
