ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରି କ୍ଷେତ୍ର ସ୍ତରରେ ରେଳ ଯାତ୍ରୀଙ୍କୁ ମିଳୁଥିବା ସୁବିଧା ଏବଂ ସେବାର ନିରୀକ୍ଷଣ କରିଛନ୍ତି । ପାର୍ବଣ ଋତୁରେ ଯାତ୍ରୀ ଭିଡ଼ର ମୁକାବିଲା କରିବା ଲାଗି ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ରେଳ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି ୧୨ ଲକ୍ଷ ରେଳ କର୍ମଚାରୀ ଦିନ ରାତି କାମ କରୁଛନ୍ତି । ଏବେ ସୁଦ୍ଧା ୪୨୧୧ଟି ପାର୍ବଣ ସ୍ୱତନ୍ତ୍ର ଟ୍ରେନରେ ୧ କୋଟିରୁ ଅଧିକ ଯାତ୍ରୀ ଯାତାୟାତ କରିସାରିଛନ୍ତି। କେବଳ ଦିଲ୍ଲୀ ଅଞ୍ଚଳରେ ଦୈନିକ ହାରାହାରି ୪.୨୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ସୁରତ, ମୁମ୍ବାଇ, କୋଏମ୍ବାଟୁର, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ଷ୍ଟେସନରେ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବା ଲାଗି ଉତ୍ସର୍ଗୀକୃତ ରେଳ କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସବୁ ଜୋନରେ ସ୍ୱତନ୍ତ୍ର ଜରୁରୀକାଳୀନ କକ୍ଷ ଖୋଲାଯାଇ ଯାତ୍ରୀ ଭିଡ଼ ପରିଚାଳନା କରାଯାଉଛି।
ରେଳ ମନ୍ତ୍ରୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆରପିଏଫ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ଯାତ୍ରୀଙ୍କ ପାଇଁ ହୋଇଥିବା ସୁବିଧା ଏବଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ମଧ୍ୟ ପ୍ରାଥମିକ ଚିକିତ୍ସା କକ୍ଷ ପରିଦର୍ଶନ କରି ଡାକ୍ତରଙ୍କ ସହିତ କଥା ହୋଇଥିଲେ। ସେ ନୂଆଦିଲ୍ଲୀ ଷ୍ଟେସନର ୧୬ ନମ୍ବର ପ୍ଲାଟଫର୍ମରେ ପାଟନା ଯାଉଥିବା ଅମୃତ ଭାରତ ଏକ୍ସପ୍ରେସର ଯାତ୍ରୀମାନଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଯାତ୍ରୀ ସୁବିଧା କେନ୍ଦ୍ର ବୁଲିଦେଖିବା ସହିତ ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ହୋଇଥିବା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାରଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ରେଳମନ୍ତ୍ରୀଙ୍କୁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ରେଳମନ୍ତ୍ରୀ ରେଳ ଭବନର ଜରୁରୀକାଳୀନ କକ୍ଷରେ ସ୍ୱତନ୍ତ୍ର ଟ୍ରେନ ସମ୍ପର୍କରେ ସୂଚନାର ସମୀକ୍ଷା କରିଥିଲେ। ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ରେଳ ଅଧିକାରୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା।
ଆହୁରି ପଢନ୍ତୁ-
