କର୍ଣ୍ଣାଟକ ହାଇକୋର୍ଟ ଅଭିନେତା ରଣବୀର ସିଂଙ୍କ ସହିତ ଜଡିତ ଥିବା ଏକ ବିବାଦୀୟ ମାମଲାରେ ନୋଟିସ୍ ଜାରି କରିଛନ୍ତି । ଏହି ମାମଲା ଗୋଆରେ ଅନୁଷ୍ଠିତ ହେଉଥିବା ୫୬ତମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ସମୟରେ ଘଟିଥିବା ଏକ ଘଟଣା ସହିତ ଜଡିତ । ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ରଣବୀର ସିଂ “କାନ୍ତାରା ଚ୍ୟାପଟର ୧” ଫିଲ୍ମରେ ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ ଦ୍ୱାରା ଅଭିନୀତ ଚରିତ୍ରକୁ ନକଲ କରିଥିଲେ । ଏହି ପ୍ରଦର୍ଶନ ସମୟରେ ସେ ଜଣେ ଦେବତାଙ୍କୁ ମହିଳା ଭୂତ ବୋଲି କହିଥିବା ଅଭିଯୋଗ ହୋଇଛି । ଯାହା ବିବାଦ ସୃଷ୍ଟି କରିଛି ଏବଂ ତାଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି ।
ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଗାମୀ ଶୁଣାଣିବେଳେ ସମ୍ପୃକ୍ତ ପକ୍ଷମାନେ ସେମାନଙ୍କର ଆପତ୍ତି ଦାଖଲ କରନ୍ତୁ । ମାର୍ଚ୍ଚ ୨ ତାରିଖ ସୋମବାର ଦିନକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରାଜ୍ୟ ସରକାର ଆବେଦନକାରୀ ରଣବୀର ସିଂଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ନୋଟିସ୍ ଜାରି ହେବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାରି ମଧ୍ୟରେ ରଣବୀର ସିଂଙ୍କ ଓକିଲ କହିଛନ୍ତି ଯେ, ଯାହା ଘଟିଛି ତାହା ଅଜାଣତରେ ହୋଇଛି । ତେଣୁ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି । ଜଣେ ଚର୍ଚ୍ଚିତ ଅଭିନେତା ଭାବରେ ତାଙ୍କୁ ଏପରି କାର୍ଯ୍ୟ କରିବାରୁ ବଞ୍ଚିବା ଉଚିତ୍ ଥିଲା । ଏହି ମାମଲାରେ କୌଣସି ନିଷ୍ପତ୍ତି ଦେବା ପୂର୍ବରୁ କୋର୍ଟ କର୍ଣ୍ଣାଟକବାସୀଙ୍କ ଭାବନାକୁ ବିଚାର କରିବା ଉଚିତ୍ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି । ରଣବୀର ସିଂ ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ବୋଲି ଅଭିଯୋଗ ରହିଛି ।
