ଛତ୍ରପୁର: ହତ୍ୟା ଘଟଣାରେ ୮ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ । ୨୦୧୨ରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗାଁରେ ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରି ୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୨ରେ ଫେବୃଆରୀ ୨୦ ତାରିଖ ଶିବରାତ୍ରି ରାତି ୯ଟାରେ ଦୟାପଲ୍ଲୀ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଉଗ୍ରରୂପ ନେଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ୨୩ ଜଣ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରିଥିଲେ । ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟ ୧୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
