ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ କୋର୍ଟ ଗେଟ୍ ବନ୍ଦ କରିବା ସହିତ ଲୋକମାନଙ୍କୁ ଏଣ୍ଟ୍ରି ପାଇଁ ରୋକିଥିଲେ । ବୋମାରେ ଉଡ଼ାଇବାକୁ ଧମକ ଏକ ଅଜଣା ବ୍ୟକ୍ତିଙ୍କ ମେଲରୁ ଆସିଛି । ଏଥିରେ ସଂପୂର୍ଣ୍ଣ କୋର୍ଟକୁ ଉଡ଼ାଇବାକୁ ଧମକ ମିଳିଛି ।
ଘଟଣା ବିଷୟରେ ସୂଚନା ମିଳିବା ପରେ ପୀରବହୋର ଥାନା ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ୍, ଡଗ୍ ସ୍କ୍ବାର୍ଡ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସଂପୂର୍ଣ୍ଣ କୋର୍ଟ ପରିସରକୁ ଯାଞ୍ଚ ଚାଲିଛି । ତେବେ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।
ପାଟନା ସିଭିଲ କୋର୍ଟକୁ ଗତ ୪ ଦିନ ଭିତରେ ୩ୟ ଥର ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଆଜି ପାଟନା କୋର୍ଟରେ ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ଦୁଇଟି ମାମଲାରେ ଜାମିନ ଆବେଦନକୁ ନେଇ ଶୁଣାଣି ହେବ । ଗତକାଲି ଧମକ ମିଳିଥିବାରୁ ତାଙ୍କୁ ହାଜିରା କରାଯାଇନଥିଲା ଆଉ ଏଥିପାଇଁ ଶୁଣାଣି ଘୁଞ୍ଚିଥିଲା ।
ତେବେ ପୁଣି ଆଜି ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତାର କାରଣ ପାଲଟିଛି । ଏହାଦ୍ବାରା କୋର୍ଟ କାମ ପ୍ରଭାବିତ ହେଉଛି ।
