ରାଇକିଆ: ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ ଦିଲ୍ଲୀ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩ ହଜାର ଏନସିସି ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ଏହି ପ୍ୟାରେଡରେ ଅଂଶ ଗ୍ରହଣ କରିବା ପାଇଁ ନବରଙ୍ଗପୁରରେ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ସେଠାରେ ସାରା ଓଡ଼ିଶାରୁ ବଛା ବଛା ୮୦ ଛାତ୍ର ଏବଂ ୪୭ ଜଣ ଛାତ୍ରୀ ମୋଟ ୧୨୭ ଜଣ ଏନସିସି ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଥିଲା । ସେମାନଙ୍କୁ ଟ୍ରେଣ୍ଡ କରି ଦିଲ୍ଲୀ କର୍ତ୍ତବ୍ୟ ପଥରେ ପହଞ୍ଚେଇବା, ସେମାନେ କିପରି ପ୍ୟାରେଡରେ ଅଂଶ ଗ୍ରହଣ କରିପାରିବେ ଏବଂ ସୁରକ୍ଷିତରେ ଫେରିବେ, ସେଥିପାଇଁ ସାରା ଓଡ଼ିଶାରୁ ୪ ଶହ ଏନସିସି ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ବଛାଯାଇଥିଲା । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ରାଇକିଆ ସେଣ୍ଟକାଥାରିନ ଗାର୍ଲ୍ସ ହାଇସ୍କୁଲର ଏନସିସି ଶିକ୍ଷୟିତ୍ରୀ ସୁପ୍ରଭା ନାୟକ ଏହି ଦାୟିତ୍ବ ଗ୍ରହଣ କରିବା ପାଇଁ ଚୟନ ହୋଇଥିଲେ । ସୁପ୍ରଭା ସମସ୍ତ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିଥିଲେ । ୧୨୭ ଛାତ୍ରଛାତ୍ରୀମାନଙ୍କୁ ନେଇ ଦିଲ୍ଲୀ କର୍ତ୍ତବ୍ୟ ପଥରେ ପହଞ୍ଚି ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ ସୁପ୍ରଭା । ସେଠାରେ ମୁଖ୍ୟତଃ ତିନୋଟି ରାଲି ଯଥା, ପିଏମ୍ ରାଲି, କର୍ତ୍ତବ୍ୟପଥ ଏବଂ ଗାଡ଼ ଅଫ୍ ଅନରରେ ଭଲ ପ୍ରଦର୍ଶନ କରିଥିଲା ଓଡ଼ିଶା । ଓଡ଼ିଶାର ଛାତ୍ରଛାତ୍ରୀମାନେ ୩ ନମ୍ବର ସ୍ଥାନ ଅଧିକାର କରିବା ସହ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଥିଲେ ସୁପ୍ରଭା ନାୟକ ।
ଏନସିସି ଶିକ୍ଷୟିତ୍ରୀ ସୁପ୍ରଭା ନାୟକଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି, ଗଭର୍ଣ୍ଣର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ ଛାତ୍ରଛାତ୍ରୀ । ସେଠାରେ ସୁପ୍ରଭାଙ୍କୁ ଓଡ଼ିଶାର ବେଷ୍ଟ a.n.o ଭାବରେ ସମ୍ମାନିତ କରାଯାଇଥିଲା । ଫେବୃଆରୀ ୨ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ପୂର୍ବରୁ କର୍ତ୍ତବ୍ୟପଥ ପ୍ୟାରେଡରେ ଓଡିଶା ୧୪ ନମ୍ବରରେ ରହିଥିଲା । ଚଳିତ ବର୍ଷ ୧୨୭ ଜଣ ଏନସିସି ଛାତ୍ରଛାତ୍ରୀମାନଙ୍କୁ ସୁପ୍ରଭା ନାୟକ ପ୍ୟାରେଡ୍ ପ୍ରଶିକ୍ଷଣ ଦେଇଥିଲେ । ଯେଉଁଥି ପାଇଁ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରି ଓଡ଼ିଶାକୁ ୩ ନମ୍ବରରେ ପହଞ୍ଚାଇଥିଲେ । ଫେବୃଆରୀ ୭ ତାରିଖରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଫେରିଥିଲେ ସୁପ୍ରଭା । ପରେ ସ୍କୁଲ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
