ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତ ବିଦେଶରୁ ଆମଦାନି କରୁଥିବା ସାର ପରିମାଣ ବଢ଼ିବ। ଫଳରେ ସାର ଆମଦାନି ମୂଲ୍ୟ ୧୮ ବିଲିଅନ୍ ଡଲାରରେ ପହଞ୍ଚିଯିବା ଆକଳନ କରାଯାଉଛି। ଦେଶର କେତେକ ଅଞ୍ଚଳରେ ଚାଷୀମାନେ ଅଧିକ ଜମିରେ ଚାଷ କରିଥିବାରୁ ପୂର୍ବ ବର୍ଷ ଅପେକ୍ଷା ସାର ଚାହିଦା ବଢ଼ିଛି। ଫଳରେ ଡିଏପି ଓ ୟୁରିଆ ସାର ଆମଦାନି ଯଥେଷ୍ଟ ବୃଦ୍ଧି ପାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଭାରତକୁ ସାର ଆମଦାନି ୧୩.୯୮ ବିଲିଅନ୍ ଡଲାରରେ ପହଞ୍ଚିସାରିଛି। ଗତ ଆର୍ଥିକ ବର୍ଷରେ ସାର ଆମଦାନିରେ ଭାରତ ସରକାର ୧୦.୨୩ ବିଲିଅନ୍ ଡଲାର ଖର୍ଚ୍ଚ କରିଥିଲେ। କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଏଥିରେ ୭୧ ପ୍ରତିଶତ ବୃଦ୍ଧି ଘଟି ସାରିଲାଣି।
