ଭଦ୍ରକ: ମଝି ସମୁଦ୍ରରେ ଗାୟବ ହୋଇ ଯାଇଛନ୍ତି ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର । ରହସ୍ୟମୟ ଭାବେ ନିଖୋଜ ହୋଇଛନ୍ତି ସାର୍ଥକ । ୨ ତାରିଖରେ ମାଆଙ୍କ ସହ ଶେଷ ଥର ପାଇଁ କଲରେ କଥା ହୋଇଥିଲେ ସାର୍ଥକ । ଜାହାଜରେ ଡ୍ୟୁଟି ବେଳେ ସାର୍ଥକ ନିଖୋଜ ହୋଇଛନ୍ତି । ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ରେ ଆଙ୍ଗଲୋ ଇଷ୍ଟର୍ନ ସିପିଂ କମ୍ପାନୀର ସିପ୍ EA Jerseyରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ । ସେ ଗତ ଫେବୃଆରୀ ୩ ତାରିଖରୁ ନିଖୋଜ ଥବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାର୍ଥକ ଚାଇନାରୁ ସିଙ୍ଗାପୁର ଫେରୁଥିବା ବେଳେ ମରିସସ ଉପକୂଳ ନିକଟବର୍ତ୍ତୀ ଅଂଚଳରେ ଜାହାଜରୁ ନିଖୋଜ ହୋଇଥିବା ଜଣାପଡ଼ିଛି ।
ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଗୋପାଳବିନ୍ଧା ଗାଁରେ ସାର୍ଥକଙ୍କ ଘର । ନିଜର ମାମୁ ଘରେ ରହି ପାଠ ପଢ଼ୁଥିବା ସାର୍ଥକ ଆଠ ମାସ ହେବ ନାଭାଲରେ ଜଏନ କରିଥିବା ବେଳେ ଟ୍ରେନିଂରେ ଥିଲେ । ଶେଷଥର ପାଇଁ ସାର୍ଥକଙ୍କୁ ୨ ତାରିଖରେ କେବିନକୁ ଯାଉଥିବାର ଦେଖାଯାଇଥିଲା । ପରେ ସେହିଦିନ ସକାଳ ସାଢେ ଆଠ ଟାରେ ମୁଖ୍ୟ ଅଧିକାରୀ ତାଙ୍କ କେବିନ ଯାଞ୍ଚ କରିବାକୁ ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ସାର୍ଥକଙ୍କ ପାରିବାରକୁ କମ୍ପାନୀ ପକ୍ଷରୁ ଚିଠି ଲେଖି ଜଣାଇବା ସହିତ ଆଶ୍ୱାସନା ଦିଆଯାଇଛି । ଏହାଛଡା ଜାହାଜର ବେଗକୁ କମ କରିବା ସହିତ ସାର୍ଥକଙ୍କୁ ଖୋଜାଖୋଜି ଚାଲିଥିବା କୁହାଯାଇଛି । କହି ରଖୁଛୁ ଡ୍ୟୁଟି ମଝିରୁ ଅର୍ଥାତ୍ ୩ ତାରିଖ ସକାଳ ୬ ଟାରେ ସାର୍ଥକ ନିଜ ରୁମ୍ କୁ ଆସିଥିଲେ । କିନ୍ତୁ ୮ ଟାରେ ତାଙ୍କ ରୁମ୍ କୁ ବ୍ରେକ ଫାଷ୍ଟ ପଠେଇବା ବେଳେ ରୁମରୁ କୁଆଡେ ଗାୟବ ହୋଇଯାଇଥିଲେ ସାର୍ଥକ ।
ଏ ସବୁ ଜିନିଷ ରହସ୍ୟ ଭିତରେ ବୋଲି ଅଭିଯୋଗ କରିଛନ୍ତି ପରିବାର । ନା ସିସିଟିଭି ନା ଅନ୍ୟ କୌଣସି ତଥ୍ୟ ପରିବାରକୁ ଦିଆଯାଉଛି । ତେଣୁ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପରିବାର । ଏହା ସହ ପୁଅ କେମିତି ମଝି ସମୁଦ୍ରରୁ ଗାୟବ ହେଲା ସେ ବିଷୟରେ ବୁଝିବା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ । ଶେଷ ଥର ପାଇଁ ୨ ତାରିଖରେ ମାଆଙ୍କ ସହ କଥା ହୋଇଥିଲେ ସାର୍ଥକ । ୩ ତାରିଖ ପରଠୁ ତାଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଆସୁଛି । ଏନେଇ ମର୍ମାହତ ହୋଇପଡିଛନ୍ତି ସାର୍ଥକଙ୍କ ମାଆ । ପୁଅକୁ ଖୋଜି ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ସେପଟେ ଖବର ମିଳିବା ପରେ ସାର୍ଥକଙ୍କ ମାମୁଁ ଘର ଲୋକ, ବିଶେଷ କରି ତାଙ୍କ ଆଇ ଅଧିକ ବ୍ୟତିବେସ୍ତ ହୋଇ କାନ୍ଦୁଛନ୍ତି ।
ପୁଅ ସହ କଣ ହୋଇଛି, କେମିତି ନିଖୋଜ ହେଲେ ସାର୍ଥକ ? ସେ ବିଷୟରେ କୌଣସି ସୂଚନା ପାଇ ପାରୁ ନାହାନ୍ତି ପରିବାର । ତେଣୁ ଖୁବଶୀଘ୍ର ସାର୍ଥକଙ୍କୁ ଖୋଜି ବାହାର କରିବାକୁ ପରିବାର ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
Also Read: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
