ଭୁବନେଶ୍ବର: ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟରେ ମିଳିବ ମୋବାଇଲ ସେବା । ଶିମିଳିପାଳରେ ଉପଲବ୍ଧ ହେଲା 4G ମୋବାଇଲ ସେବା । ଏହି ଟାୱାରକୁ ଲୋକାର୍ପିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବଣ, ପାହାଡ଼ ଘେରା ଶିମିଳିପାଳ ଅଭୟାରଣ୍ୟରେ ଆଉ ରହିବନି ନୋ ନେଟୱର୍କ ସମସ୍ୟା। ଏବେ ଜଙ୍ଗଲ ମଧ୍ୟରେ 4G ମୋବାଇଲ ସେବା ଉପଲବ୍ଧ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ବିଏସଏନଏଲ ପକ୍ଷରୁ 4G ମୋବାଇଲ ସେବା ନେଇ ପ୍ରଥମ କରି ୩ଟି ମୋବାଇଲ ଟାୱାର ସ୍ଥାପନ କରାଯାଇଛି ।
ଯାହାକୁ ଗୁଡୁଗୁଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ମୋବାଇଲ ନେଟୱର୍କ ସମସ୍ୟା ଏକ ପୁରୁଣା ସମସ୍ୟା।
ପ୍ରାୟ ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଙ୍ଗଲରେ, ଭୂପ୍ରକୃତି ଜଟିଳତା କାରଣରୁ ସାଧାରଣ ମୋବାଇଲ ଟାୱାର କଭରେଜ ବହୁତ କମ୍ ରହିଛି । ସ୍ଥାନୀୟ ଗ୍ରାମବାସୀ ଓ ପର୍ଯ୍ୟଟକମାନେ ପ୍ରାୟତଃ ନୋ ନେଟୱର୍କ ସମସ୍ୟାରେ ଅଭିଯୋଗ କରନ୍ତି ।ଏହାର ସମାଧାନ ପାଇଁ ପ୍ରୟାସ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ଭଳି ଜଙ୍ଗଲ ପରିବେଶ ଓ ଉପାନ୍ତ ଅଞ୍ଚଳରେ 4G ମୋବାଇଲ ସେବା ଉପଲବ୍ଧ ଦ୍ଵାରା ସ୍ଥାନୀୟ ଅଧିବାସୀ ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ ।
