ବଲିଉଡର ନମ୍ବର 1 ହିରୋ ଗୋବିନ୍ଦା ବର୍ତ୍ତମାନ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୧୯ର ଫିଲ୍ମ ରଙ୍ଗିଲା ରାଜାରେ ଦେଖିବାକୁ ମିଳିଥିଲା । ସେବେଠାରୁ ପରଦାରେ ଦେଖିବାକୁ ମିଳୁନାହିଁ । କିନ୍ତୁ ଏବେ ସେ ଅନେକ ରିଆଲିଟି ଶୋ’ ଏବଂ ଇଭେଣ୍ଟରେ ନଜର ଆସୁଛନ୍ତି । କିଛି ଦିନ ହେବ ତାଙ୍କୁ ବାହାଘର ଫଙ୍କସନରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି । ତାଙ୍କ କ୍ୟାରିଅରରେ ଏପରି ଡାଉନଫଲ୍ ଦେଖିବା ପରେ ଫ୍ୟାନ୍ସ ବିରକ୍ତି ହେଉଛନ୍ତି ।
ପ୍ରଶଂସକମାନେ ଗୋବିନ୍ଦାଙ୍କ ଗ୍ରେଟ୍ କମବ୍ୟାକ୍ ପାଇଁ ଅପେକ୍ଷା କରି ରହିଛନ୍ତି । ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଥିରେ ଦାବି କରାଯାଇଛି ଯେ, ହିଟ୍ ଫିଲ୍ମ ଭାଗମ୍ ଭାଗ ସିକ୍ବେଲରୁ ଗୋବିନ୍ଦାଙ୍କୁ ବାଦ୍ ଦିଆଯାଇଛି । ସେହି ଫିଲ୍ମର ପାର୍ଟ ୧ରେ ଗୋବିନ୍ଦା ଏକ ଅଂଶ ଥିଲେ । ସିକ୍ବେଲରେ ଗୋବିନ୍ଦାଙ୍କ କମେଡ଼ି ଦେଖିବା ପାଇଁ ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ଏପରି କୌଣସି ଘଟଣା ଦେଖିବାକୁ ପାଇବେ ନାହିଁ ଦର୍ଶକ । ଏଥିରେ ଗୋବିନ୍ଦାଙ୍କ ବଦଳରେ ମନୋଜ ବାଜପେୟୀଙ୍କୁ ନିଆଯାଇଛି ।
ଭାଗମ ଭାଗ ଫିଲ୍ମର ନିର୍ମାତା ମନୋଜ ବାଜପେୟୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନେଇଛନ୍ତି ବୋଲି କୌଣସି ଏକ ସୂତ୍ରରୁ ସୂଚନା ମିଳିଛି । ଏଥିରେ ନୂଆ କାହାଣୀ ଦେଖିବାକୁ ମିଳିବ । ଯାହାର ନିର୍ଦ୍ଦେଶନା ଦେବେ ରାଜ ଶାଣ୍ଡିଲ୍ୟ । ଏଥିସହିତ ଏଥିରେ ମୀନାକ୍ଷୀ ଚୌଧୁରୀ ଫିମେଲ୍ ଲିଡରେ ଅଭିନୟ କରିବେ । ଆସନ୍ତା ମାସରେ ମୁମ୍ବାଇରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସୁଦ୍ଧା ମନୋଜ ବାଜପେୟୀଙ୍କ ବିପକ୍ଷରେ ହିରୋଇନଙ୍କୁ ଫିଲ୍ମ ପାଇଁ ଚୟନ କରାଯାଇନାହିଁ ।
ଏପରି ଖବର ସାମ୍ନାକୁ ଆସିବା ପରେ ଗୋବିନ୍ଦାଙ୍କ ଫ୍ୟାନ୍ସ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏହା ପରେ ପ୍ରଶଂସକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ମଧ୍ୟ ଆରମ୍ଭ କରିଛନ୍ତି । ଭାଗମ୍ ଭାଗର ପ୍ରଥମ ପାର୍ଟଟି ୨୦୦୬ ମସିହାରେ ରିଲିଜ୍ ହୋଇଥିଲା । ଯାହା ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ହୋଇଥିଲା । ସେଥିରେ ଅକ୍ଷୟ କୁମାର, ଗୋବିନ୍ଦା, ପରେଶ ରାୱଲ, ଲାରା ଦତ୍ତା, ଜ୍ୟାକି ଶ୍ରଫ, ମନୋଜ ଯୋଶୀ, ଶରଦ ସାକ୍ସେନା, ଅସରାନୀ ଏବଂ ଅରବାଜ ଖାନ ପ୍ରମୁଖ ଅଭିନୟ କରିଥିଲେ ।
