ସୂର୍ଯ୍ୟରୁ ଆସୁଛି ବଡ଼ ବିପଦ। ଭୟଙ୍କର ସୌର ଝଡ଼ ପାର୍ଇ ସତର୍କ କରାଇଲା ଇସ୍ରୋ । ବର୍ତ୍ତମାନ ସୂର୍ଯ୍ୟ ନିଜର ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛି । ସୂର୍ଯ୍ୟପୃଷ୍ଠରେ କ୍ରମାଗତ ଭାବେ ଶକ୍ତିଶାଳୀ ‘ସୌର ଜ୍ବାଳା’ ବା ସୋଲାର ଫ୍ଲେୟାରସ୍ ସୃଷ୍ଟି ହେଉଛି । ଯାହା ପୃଥିବୀ ପାଇଁ ବିପଦ ସଙ୍କେତ ସାଜିଛି । ଇସ୍ରୋ ସମେତ ବିଶ୍ବର ପ୍ରମୁଖ ମହାକାଶ ଏଜେନ୍ସି ଗୁଡିକ ହାଇଆଲର୍ଟ ଜାରି କରିଛନ୍ତି । ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇପାରେ ।
ଗତ କିଛିଦିନ ମଧ୍ୟରେ ସୂର୍ଯ୍ୟ ପୃଷ୍ଠରେ ଏକ ବିଶାଳ ସନସ୍ପଟରୁ ଏକାଧିକ ଏକ୍ସ-କ୍ଲାସ୍ ସୌର କଣିକା ନିର୍ଗତ ହୋଇଛି । ଫେବୃଆରୀ ୧ ତାରିଖରୁ ଏପର୍ଯ୍ୟନ୍ତ ସୂର୍ଯ୍ୟରୁ କେତେକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ସେଥିମଧ୍ୟରୁ X8.1 ଶ୍ରେଣୀର ଜ୍ବାଳା ହେଉଛି ୨୦୨୬ ବର୍ଷର ଏପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ। ଏହି ପ୍ରଭାବରେ ପୃଥିବୀରେ ରେଡିଓ ବ୍ଲାକଆଉଟ୍ ହୋଇପାରେ । ବିଶେଷକରି ବିମାନ ଚଳାଚଳ, ସାମୁଦ୍ରିକ ଜାହାଜ ଓ ଲମ୍ବା ଦୂରତାର ରେଡିଓ ଯୋଗାଯୋଗରେ ବାଧା ଉପୁଜିପାରେ। ତେଣୁ ବର୍ତ୍ତମାନ ISRO ଭାରତର ୫୦ରୁ ଅଧିକ ସାଟେଲାଇଟ୍ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ସୌର ଝଡ଼ ଯୋଗୁଁ GPS, ଟେଲିଭିଜନ ସିଗନାଲ୍ ଏବଂ ମୋବାଇଲ୍ ନେଟୱାର୍କ ପ୍ରଭାବିତ ହେବାର ସମ୍ଭାବନା ଅଛି। ଭାରତର ସୌର ମିଶନ ଆଦିତ୍ୟ- L1 ସୂର୍ଯ୍ୟର ଗତିବିଧି ଉପରେ ନଜର ରଖିଛି। ପ୍ରତି ମୂହୂତ୍ତର୍ରେ ତଥ୍ୟ ସଂଗ୍ରହ କରୁଛି। ଯାହା ଆଗୁଆ ସତର୍କତା ପାଇଁ ସାହାଯ୍ୟ କରୁଛି। ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷତିର ଖବର ମିଳିନାହିଁ। ISRO, NASA ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ସ୍ଥିତି ଉପରେ ନଜର ରଖିଛନ୍ତି
