ମୁମ୍ବାଇ : ଲୋକପ୍ରିୟ ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଘର ଉପରେ ବୋମା ମାଡ଼ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରି ହେପାଜତରେ ରଖିଛି । ଏମାନଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ । ପୋଲିସ ଏମାନଙ୍କୁ ୪ ଦିନ ପାଇଁ ହେପାଜତକୁ ନେଇଛି । ଏମାନଙ୍କୁ ଏବେ ପଚରାଉଚରା ଜାରି ରଖିଛି ପୋଲିସ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଶୁଭମ ଲୋନକର ଏବଂ ଆରଜୁ ବିଷ୍ନୋଇ ରୋହିତ ସେଟ୍ଟୀଙ୍କ ଘର ଉପରେ ଫାୟାରିଂ ପାଇଁ ନିଜକୁ ଦାୟୀ କରିଛି ।
ପୋଲିସ ଯେଉଁମାନଙ୍କୁ ଗିରଫ କରିଛି, ସେମାନଙ୍କ ପରିଚୟ ମିଳିଛି । ଆଦିତ୍ୟ ଜ୍ଞାନେଶ୍ବର ଗାୟକୀ (୧୯), ସିଦ୍ଧାର୍ଥ ଦୀପକ ୟେନପୁରେ (୨୦), ସମର୍ଥ ଶିବଶରଣ ପୋମାଜୀ(୧୮), ସ୍ବପ୍ନିଲ ବଡୁ ସକଟ(୨୩) ବୋଲି ଜଣାପଡିଛି । ଏମାନେ ସମସ୍ତେ ପୁଣେର । ସମସ୍ତ ଅଭିଯୁକ୍ତଙ୍କୁ ଧାରା ୧୦୯, ୬୧(୨) ସହିତ ଧାରା ୩, ୨୫ ଅଧିନାୟକ ଏବଂ ବିଏନଏସ ଧାରା ଅନୁଯାୟୀ ଗିରଫ କରାଯାଇଛି ।
ବଲିଉଡ୍ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମହାରାଷ୍ଟ୍ର ମୁମ୍ବାଇସ୍ଥିତ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ଶନିବାର ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତମାନେ ରୋହିତଙ୍କ ଘର ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଜୋରଦାର କରିଥିଲେ ।
