କାକଟପୁର: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ସମୟ ବାହାର କରି ଟିକେ ଶାନ୍ତି ପାଇବା ପାଇଁ ପାର୍କ ଯାଏ । ବିଶେଷ ଭାବରେ ପାର୍କ ଗୁଡିକ ସହରାଞ୍ଚଳରେ ଦେଖିବାକୁ ମିଳିଥାଏ । କିନ୍ତୁ ଗାଁମାନଙ୍କରେ ଏହି ସବୁ ସୁବିଧା ଖୁବ୍ କମ୍ ଦେଖିବାକୁ ମିଳେ । ଏହି ଅସୁବିଧାକୁ ବୁଝି ଜଣେ ଯୁବ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମାଞ୍ଚଳରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ପାର୍କ ।
ଅସ୍ତରଙ୍ଗ ବ୍ଲକର ଶେଷ ସୀମାବର୍ତ୍ତି ଅଞ୍ଚଳ ଭାବେ ପରିଚିତ ପଞ୍ଚାୟତ ହେଉଛି ନୂଆଗଡ ପଞ୍ଚାୟତ । ଏହି ପଞ୍ଚାୟତ ଅନ୍ତର୍ଗତ ଥିବା ଅନେକ ଗାଁ ପ୍ରାୟତଃ ସବୁ ନଦୀ ଏବଂ ସମୁଦ୍ର ଘେରା ସ୍ଥାନରେ ଅବସ୍ଥିତ । କହିବାକୁ ଗଲେ ଏଠାରେ ବସବାସ କରୁଥିବା ଲୋକମାନେ ସମ୍ପୂର୍ଣ ଗ୍ରାମୀଣ ଜୀବନଶୈଳୀକୁ ନେଇ ଚଳିଥାନ୍ତି । ଚାଷ କ୍ଷେତ, ନଦୀ, ସମୁଦ୍ର, ଜାଲ ଡଙ୍ଗାକୁ ନେଇ ଏମାନଙ୍କ ଜୀବନ ଜୀବିକା । ସହରାଞ୍ଚଳ ସୁଖ ସୁବିଧାରୁ ବହୁ ଦୂରରେ ଏମାନଙ୍କ ଜୀବନ ଶୈଳୀ । ଏହି ପଞ୍ଚାୟତରେ ନିର୍ବାଚିତ ହୋଇଥିବା ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ସ୍ବାଇଁ ଲୋକମାନଙ୍କ ପାଇଁ ଏଠାରେ ଏକ ପାର୍କ ନିର୍ମାଣ କରିବା ପାଇଁ ବିଚାର କଲେ ଏବଂ ପଞ୍ଚାୟତ ଏବଂ ବ୍ଲକର ସହାୟତା ଅନୁଦାନରେ ଆରମ୍ଭ କଲେ ଏକ ଗ୍ରାମୀଣ ପାର୍କ । ଦୀର୍ଘ ଏକ ବର୍ଷର ପ୍ରଚେଷ୍ଟା ପରେ ଏହି ଗ୍ରାମୀଣ ଅଞ୍ଚଳରେ ଗଢି ଉଠିଛି ଏକ ସୁନ୍ଦର ପାର୍କ । ନୂଆଗଡ ପଞ୍ଚାୟତ ବାସୀଙ୍କ ସହିତ ଆଖ ପାଖ ପଞ୍ଚାୟତର ଲୋକମାନେ ଏହି ପାର୍କକୁ ଦେଖିବା ପାଇଁ ଆସୁଛନ୍ତି ।
ପାର୍କ ନିର୍ମାଣ ସରିବା ପରେ ସାଧାରଣ ପଞ୍ଚାୟତବାସୀଙ୍କ ପାଇଁ ଏହା ଲୋକାର୍ପିତ କରାଯାଇଛି । କିନ୍ତୁ ଏହି ଲୋକାର୍ପିତ ଉତ୍ସବରେ କୌଣସି ନେତା, ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀ ଏହାକୁ ଉଦଘାଟନ କରିନଥିଲେ । ଏହାକୁ ଉଦଘାଟନ କରିବା ପାଇଁ ଯୁବ ସରପଞ୍ଚ ନିଜ ପଞ୍ଚାୟତର ବିଭିନ୍ନ ଗାଁର ବୃଦ୍ଧ ବୃଦ୍ଧାମାନଙ୍କୁ ଡକାଇଥିଲେ । ବାଜା ବଜାଇ ବାଣ ଫୁଟାଇ ସେମାନଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଆଣି ସେମାନଙ୍କ ହାତରେ ପାର୍କର ଫିତା କଟାଇଥିଲେ । ଏବଂ ସେହି ବୃଦ୍ଧ ବୃଦ୍ଧାମାନଙ୍କୁ ପ୍ରଥମେ ପାର୍କରେ ପ୍ରବେଶ କରାଇଥିଲେ । ଏହି ପାର୍କଟି ଲୋକାର୍ପିତ ହେବା ପରେ ଅଞ୍ଚଳର ମହିଳା,ଶିଶୁ, ଯୁବକ, ବୃଦ୍ଧ ବୃଦ୍ଧାମାନେ ଏଠାକୁ ଆସିଥିଲେ । ଛୋଟ ପିଲାମାନେ ବିଭିନ୍ନ ଦୋଳିରେ ଖେଳୁଥିବାର ଦେଖାଯାଇଥିଲା । ଗ୍ରାମାଞ୍ଚଳ ଭିତରେ ଗ୍ରାମୀଣ ଲୋକମାନଙ୍କ ପାଇଁ ପାର୍କର ଏଭଳି ସୁବିଧା କରିପାରିଥିବା ଯୁବ ସରପଞ୍ଚ ଜିତେନ୍ଦ୍ର ସ୍ବାଇଁଙ୍କୁ ପଞ୍ଚାୟତବାସି ଭୁରି ଭୁରି ପ୍ରସଂଶା କରିଛନ୍ତି ।
