କଣ୍ଟାମାଳ: ମାଟି ତଳେ ଫଳିଛି ସୁନାର ଫସଲ, ଲାଲ ରଙ୍ଗର ଏହି ଫଳ ହେଉଛି କନ୍ଦମୂଳ । ଯାହାକି ଏକ ଅର୍ଥକାରୀ ଫସଲ ବୋଲି କୁହାଯାଏ । ଅଳ୍ପ ପରିଶ୍ରମ କରି ଏଥିରେ ଅଧିକ ଲାଭ ମିଳିଥାଏ । ତେଣୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ଡିଗୀ ଗ୍ରାମ ସମେତ ଆଖପାଖ କନାପଡା, ଶୁଆପାବୁଲି, ମହୁଲି, ସାହୁପଡ଼ା ଗ୍ରାମର ପ୍ରାୟ ଶହେରୁ ଅଧିକ ଚାଷୀ ୧ ଶହ ହେକ୍ଟର ଚାଷ ଜମିରେ ଜୈବିକ ପଦ୍ଧତିରେ କନ୍ଦମୂଳ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଜୈବିକ ପଦ୍ଧତିରେ କନ୍ଦମୂଳ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ଅନେକ ଚାଷୀ । ଧାନ ଚାଷ ପରେ ଅଧିକ ଦୁଇ ପଇସା ରୋଜଗାର କରିବା ଆଶାରେ ଅସମତଲ ଜମିକୁ ସମତଲ କରି ଗ୍ରାମର ଚାଷୀମାନେ ଜୈବିକ ପଦ୍ଧତିରେ ଚାରା ରୋପଣ କରନ୍ତି । ଏହା ପରେ ଫେବୃଆରୀ ମାସରେ ମାଟି ଖୋଳି ଉତ୍ପାଦନ କରନ୍ତି କନ୍ଦମୂଳ । ଏହି କନ୍ଦମୂଳ ଚାଷ କରି ଲାଭବାନ ହେଉଥିବା ଚାଷୀମାନେ କହିଛନ୍ତି ।
ବିନା ଔଷଧ ସାର ବ୍ୟବହାର କରି ଜୈବିକ ପଦ୍ଧତିରେ ଏହି କନ୍ଦମୂଳ ଚାଷ କରୁଛନ୍ତି ଚାଷୀ । ଏହି ମିଠାଯୁକ୍ତ କନ୍ଦମୂଳର ବଜାରରେ ବେଶ ଚାହିଦା ରହିଛି । ଏହା ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହିତକାରୀ । ତେବେ ବଜାରରେ ଏହାର ଦାମ୍ ଟିକେ କମ ରହୁଥିବାରୁ ଚାଷୀଙ୍କୁ ଅନେକ ସମୟରେ କ୍ଷତି ସହିବାକୁ ପଡିଥାଏ ।
ଏହି ଚାଷ ପାଇଁ ବିଶେଷ ପାଣି ଦରକାର ପଡି ନଥାଏ । ତେଣୁ ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାର ଚାଷୀମାନେ ଏହି ଚାଷ ପ୍ରତି ଆଗଭର ହୋଇ ଚାଷ କରୁଛନ୍ତି । ଯଦି ସରକାରୀ ସ୍ତରରେ ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ସହ ବଜାର ବ୍ୟବସ୍ଥା କରାଯାଏ ତେବେ ଏହି ଚାଷ ଆହୁରି ଅଧିକ ହୋଇ ପାରନ୍ତା ।
