ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ସୋନମାର୍ଗରେ ହିମସ୍ଖଳନର ଭୟଙ୍କର ଦୃଶ୍ୟ । କ୍ୟାମେରାରେ କଏଦ ହୋଇଛି ଏଭଳି ଦୃଶ୍ୟ । ଜମ୍ମୁ-କାଶ୍ମୀରରେ ଘଟିଥିବା ହିମସ୍ଖଳନର ଭିଡିଓ ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣା ଶହଶହ ଘର ଏବଂ ଯାନବାହାନକୁ କ୍ଷତିଗ୍ରସ୍ତ କରିଛି । ହିମସ୍ଖଳନ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି । ତେବେ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।
ରାତିରେ ସୋନମାର୍ଗର ପର୍ଯ୍ୟଟକ ବୁଲାବୁଲି କରୁଥିବା ଅଞ୍ଚଳରେ ବିରାଟ ବରଫର ପଥର ମାଡ ହୋଇଛି । ପାହାଡରୁ ମାତ୍ରାଧିକ ବରଫ ଖସି ତଳେ ଥିବା ଘର ଉପରେ ପଡ଼ିଛି । ଅନେକ ଘର ଏବଂ ହୋଟେଲ ଭାଙ୍ଗିରୁଜିଯାଇଛି। ଯାହାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ସାମ୍ନାରେ ଆସୁଥିବା ସବୁ କିଛି ବରଫ ତଳେ ଚାପି ହୋଇଯାଉଥିବା ଦେଖିବାକୁ ମିଳିଛି । ତେବେ ମୃତାହତ ନେଇ କୌଣସି ଖବର ଆସିନାହିଁ । ଲଗାତାର ଭାବେ ବରଫପାତ ହେବା ପରେ ହିମସ୍ଖଳନ ହୋଇଛି ।
ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଜମ୍ମୁ କଶ୍ମୀରର ୧୧ ଜିଲ୍ଲାକୁ ହିମସ୍ଖଳନ ପାଇଁ ଚେତାବନୀ ଦିଆଯାଇଛି ।ଲୋକଙ୍କ ସହାୟତା ପାଇଁ କଣ୍ଟ୍ରୋଲ ରୁମ କରାଯାଇଛି । ଶ୍ରୀନଗର ବିମାନବନ୍ଦରରେ ଅନେକ ବିମାନ ମଧ୍ୟ ବାତିଲ ହୋଇଛି । ଫଳରେ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ୫୮ଟି ଫ୍ଲାଇଟ୍ ର ଉଡାଣ ବାତିଲ କରାଯାଇଛି । ରନଓ୍ୱେରେ ବରଫ ପଡିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି ।
