ନୂଆଦିଲ୍ଲୀ : ଏଣିକି ସ୍ତ୍ରୀକୁ ଲୁଚାଇପାରିବେନି ସ୍ବାମୀ । ସୂଚନା ଅଧିକାର ଆଇନରେ ସ୍ତ୍ରୀ ନିଜ ସ୍ବାମୀଙ୍କ ପ୍ରକୃତ ଆୟ ଜାଣିପାରିବେ । କେନ୍ଦ୍ରୀୟ ସୂଚନା କମିସନଙ୍କ ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । ଭରଣପୋଷଣ ମାମଲାରେ ସ୍ବାମୀଙ୍କ ଆୟକର ମାଗିପାରିବେ ସ୍ତ୍ରୀ ।
ନିର୍ଦ୍ଦେଶ ଅନୁଯାୟୀ ଏଣିକି ଜଣେ ପତ୍ନୀ ନିଜର ଭରଣପୋଷଣ ମାମଲା ପାଇଁ ସ୍ବାମୀଙ୍କ ମୋଟ ବାର୍ଷିକ ଆୟ ସଂପର୍କରେ ସୂଚନା ପାଇପାରିବେ । ସ୍ୱାମୀ କେତେ ଟଙ୍କାର ଆୟ ଉପରେ ଟିକସ ଦେଉଛନ୍ତି, ସେହି ସଂଖ୍ୟାଟି ଜାଣିବା ପାଇଁ ପତ୍ନୀ ହକଦାର । ଜଣେ ବ୍ୟକ୍ତିଙ୍କ ଆୟକର ରିଟର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଶ୍ରେଣୀଭୁକ୍ତ । କିନ୍ତୁ କୋର୍ଟ ଓ CIC କହିଛନ୍ତି ଯେ, ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ମାମଲା ଚାଲିଥାଏ, ସେତେବେଳେ ସ୍ୱାମୀଙ୍କ ଆୟ ଜାଣିବା ପତ୍ନୀଙ୍କର ଅଧିକାର । ଏହାକୁ ସମ୍ପୂର୍ଣ୍ଣ ରୂପେ ଗୋପନୀୟ କୁହାଯାଇପାରିବ ନାହିଁ ।
ଯଦି ସ୍ୱାମୀ ଜଣେ ସରକାରୀ କର୍ମଚାରୀ ତେବେ ତାଙ୍କର ଦରମା ସୂଚନା RTI ଆଇନର ଧାରା ୪ ଅନୁଯାୟୀ ସାର୍ବଜନୀନ । ଏହା ପାଇବା ପାଇଁ ଅଧିକ କଟକଣା ନଥାଏ । କିନ୍ତୁ ପୁରା ଆୟକର ଦାଖଲ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ମିଳିବ ନାହିଁ । ସ୍ୱାମୀଙ୍କର PAN କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଇନଭେଷ୍ଟମେଣ୍ଟସର ବିସ୍ତୃତ ବିବରଣୀ କିମ୍ବା ଆୟକର ଫର୍ମର ସମ୍ପୂର୍ଣ୍ଣ କପି ଦିଆଯିବ ନାହିଁ । ସ୍ବାମୀଙ୍କ ମୋଟ ଆୟ ଜାଣିବା ପାଇଁ ସଂପୂର୍ଣ୍ଣ ମହିଳାଙ୍କୁ ବିବାହର ପ୍ରମାଣ ଦେବାକୁ ପଡ଼ିବ । କୋର୍ଟରେ ଭରଣପୋଷଣ କିମ୍ବା ପାରିବାରିକ ମାମଲା ଚାଲୁଥିବା ନେଇ ପ୍ରମାଣ ଦେବାକୁ ହେବ ।
ଏକ ଭରଣପୋଷଣ ମାମଲାରେ ତାଙ୍କ ସ୍ବାମୀ ନିଜର ପ୍ରକୃତ ଆୟ ଲୁଚାଉଥିବା ନେଇ ପତ୍ନୀ ଅଭିଯୋଗ କରିଥିଲେ । ଆୟକର ବିଭାଗ ତଥ୍ୟ ଦେବାକୁ ମନା କରିଥିଲେ । କିନ୍ତୁ କାଭେଟ ମାଧ୍ୟମରେ ସୂଚନା କମିସନ ବିନୋଦ ତିୱାରୀ ଏହି ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅସହାୟ ମହିଳାମାନେ କୋର୍ଟରେ ନିଜର ହକ ପାଇବା ପାଇଁ ସ୍ବାମୀଙ୍କ ପ୍ରକୃତ ଆୟର ପ୍ରମାଣ ପାଇପାରିବେ ।
