ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ନୂଆ ନୂଆ ଜ୍ଞାନକୌଶଳ ସାମିଲ୍ କରୁଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଅନ୍ୟ ଉପରେ ନିର୍ଭର ହେବାକୁ ଚାହୁଁନି ଭାରତ । ସ୍ଵଦେଶୀ ଜ୍ଞନକୌଶଳକୁ ବଢ଼ାଇବାରେ ଲାଗିଛି ଦେଶ । ଆଉ ଏହାରି ଭିତରେ ଭାରତକୁ ବଡ଼ ଏକ ସଫଳତା ମିଳିବାକୁ ଯାଉଛି । ଜାନୁଆରି ୨୬ ତାରିଖରେ ବିଶ୍ୱ ସମ୍ମୁଖରେ ଏହା ପ୍ରକାଶିତ ହେବ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ‘ଲଙ୍ଗ୍ ରେଞ୍ଜ୍ ଆଣ୍ଟି ସିପ୍ ହାଇପରସୋନିକ୍ ଗ୍ଲାଇଡ୍ ମିସାଇଲ୍’ (LRASHM), ପ୍ରଥମଥର ପାଇଁ ୭୭ତମ ଗଣତନ୍ତ୍ର ଦିବସ ପରେଡରେ ସାର୍ବଜନୀନ ଭାବରେ ପ୍ରଦର୍ଶିତ ହେବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଏହି କ୍ଷେପଣାସ୍ତ୍ର ଭାରତ ମହାସାଗର କ୍ଷେତ୍ରରେ ଭାରତର ରଣନୈତିକ ସ୍ଥିତିକୁ ଯଥେଷ୍ଟ ମଜବୁତ କରିବ ।
ଭାରତୀୟ ନୌସେନାର ଆବଶ୍ୟକତା ପୂରଣ କରିବା ପାଇଁ LRASHM ବିଶେଷ ଭାବରେ ବିକଶିତ କରାଯାଇଛି । ଏହି ମିସାଇଲ୍ ହାଇପରସୋନିକ୍ ବେଗରେ ଉଡ଼େ, ଅର୍ଥାତ୍ ଏହା ଶବ୍ଦର ବେଗ ଅପେକ୍ଷା ଅଧିକ ଦ୍ରୁତ ଗତିରେ ଗତି କରେ । ଏହାର ଗତି ଶତ୍ରୁ ରାଡାରକୁ ଚକମା ଦେବାକୁ ସକ୍ଷମ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍ ଏହାକୁ ସମୟ ମଧ୍ୟରେ ଚିହ୍ନଟ କରି ଅଟକାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।
