ଆଠଗଡ଼: ଷ୍ଟେସନ ଅଛି କିନ୍ତୁ ଠିକ୍ ସୁବିଧା ପାଇ ପାରୁ ନାହାନ୍ତି ଯାତ୍ରୀ । ଆପଣ ଦେଖୁଥିବା ଏହି ଷ୍ଟେସନରେ ରହୁଛି ମାତ୍ର ୨ଟି ଟ୍ରେନ୍ । ଯେଉଁଥିପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । କଟକ ଜିଲ୍ଲାରେ ଘଣ୍ଟିଖାଲ-ନିଧିପୁର ରେଳ ଷ୍ଟେସନକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଷ୍ଟେସନରେ ହଲ୍ଟ କରୁଛି ମାତ୍ର ଦୁଇଟି ଟ୍ରେନ । ୨ଟି ନିର୍ବାଚନୀ ମଣ୍ଡଳୀ ତଥା ୪ ଟି ବ୍ଲକର ଲୋକମାନଙ୍କ ସହ ୫ ଟି ବୃହତ ଶିଳ୍ପର କର୍ମଚାରୀମାନେ ଏହି ରେଳ ଷ୍ଟେସନ ଉପରେ ନିର୍ଭର କରୁଥିଲେ ମଧ୍ୟ ଏକ୍ସପ୍ରେସ ଟ୍ରେନ୍ ରହୁନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଆଉ ୩ଟି ଟ୍ରେନ ହଲ୍ଟ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଘଣ୍ଟିଖାଲ-ନିଧିପୁର ରେଳ ଷ୍ଟେସନ ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁରରୁ ଲକ୍ଷାଧିକ ଜନସାଧାରଣ ସହ ବାଙ୍କିରୁ ମଧ୍ୟ ବହୁ ଜନସାଧାରଣ ଏହି ରେଳ ଷ୍ଟେସନ ଉପରେ ନିର୍ଭରଶୀଳ । ମାତ୍ର ଦୁଇଟି ଟ୍ରେନ୍ ଯଥା ଅନୁଗୁଳ – ପୁରୀ ପାସେଞ୍ଜର ଏବଂ ଖଡ଼ଗପୁର – ଖୋର୍ଦ୍ଧା ଏକ୍ସପ୍ରେସ ହଲ୍ଟ କରୁଛି । ଲୋକମାନେ ସମ୍ବଲପୁର, ବଲାଙ୍ଗିର, ରାଉଲକେଲା ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଷ୍ଟେସନ ଦେଇ ଇଣ୍ଟରସିଟି ଟ୍ରେନ ଯାଉଥିଲେ ମଧ୍ୟ ଏଠାରେ ହଲ୍ଟ କରୁନାହିଁ । ଯାହା ଫଳରେ ସମ୍ବଲପୁର ଇଣ୍ଟରସିଟି, ରାଉଲକେଲା ଏବଂ ବଲାଙ୍ଗିର ସୁପରଫାଷ୍ଟ ଟ୍ରେନ ଗୁଡିକୁ ଏହି ଷ୍ଟେସନରେ ହଲ୍ଟ କରିବା ପାଇଁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରେଳ ମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଦାବି ପତ୍ର ଦେଇଛନ୍ତି।
ଅନୁଗୁଳ -ପୁରୀ ପାସେଞ୍ଜର ଟ୍ରେନଟି ପୂର୍ବରୁ ସକାଳ ୭.୫୪ ମିନିଟିରେ ଭୂବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲା କିନ୍ତୁ ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇ ଏବେ ସକାଳ ୭.୨୪ ମିନିଟରେ ଯାତ୍ରା କରୁଥିବାରୁ ଲୋକମାନେ ପୁରୁଣା ସମୟ ବଦଳାଇବା ପାଇଁ ଦାବି କରିଛନ୍ତି । କାରଣ ଷ୍ଟେସନ ଠାରୁ ୫୦ କି.ମି. ଦୂରରୁ ଆସୁଥିବା ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିର୍ବାଚନ ପୂର୍ବରୁ ଆଠଗଡ଼ ଅଞ୍ଚଳରେ ଏକ୍ସପ୍ରେସ ଟ୍ରେନ ଏହି ଷ୍ଟେସନରେ ରହିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ ।
ଆଠଗଡ଼ ବ୍ଲକରେ ୪-୪ଟି ରେଳ ଷ୍ଟେସନ ଥିଲେ ମଧ୍ୟ ସ୍ଥାନୀୟ ଲୋକ ଉନ୍ନତମାନର ରେଳ ସେବାରୁ ବଞ୍ଚିତ। ତେବେ ସାଧାରଣ ଲୋକ ଦାବି ପତ୍ର ଦେବା ପରେ କେବେ ଏହି ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।
