କଳାହାଣ୍ଡି: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଲାଞ୍ଜିଗଡ଼ ବିଶୋଧନାଗାରରେ ସଫଳତାର ସହ ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ପରିଚାଳନା କରିଛି । ଯାହା ବଡ ଧରଣର ବିପଦ ମୁକାବିଲା ପାଇଁ ପ୍ରସ୍ତୁତିକୁ ମଜବୁତ କରିବା ସହ ଏହାର ଜରୁରୀକାଳୀନ ପଦେକ୍ଷପ ଯୋଜନାକୁ ସୁଦୃଢ କରିଛି । ଏହି କାର୍ଯ୍ୟକ୍ରମ କାର୍ଯ୍ୟସ୍ଥଳରେ ସୁରକ୍ଷା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ କରିବା ସହିତ ଶୂନ କ୍ଷୟକ୍ଷତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥିଲା ।
କମ୍ପାନୀର ଥିବା ରେଡ୍ ମଡ୍ ପୋଖରୀ ସ୍ଥାନରେ ଏକ କାଳ୍ପନିକ ପରିସ୍ଥିତି ପ୍ରଦର୍ଶନ କରାଯାଇଥିଲା ଯେଉଁଠାରେ ନିୟମିତ କାର୍ଯ୍ୟ ସମୟରେ ହଠାତ୍ ରେଡ୍ ମଡ୍ ବନ୍ଧ ଭୁଶୁଡ଼ିବା ପରେ ଜଣେ ଏକ୍ସକେଭେଟର ଅପରେଟର ଫସି ରହିଥିଲେ । କାର୍ଯ୍ୟ ବନ୍ଦ ସହିତ ଦୁର୍ଘଟଣା ରୋକିବା ପାଇଁ ଶକ୍ତି ଉତ୍ସକୁ ନିୟନ୍ତ୍ରଣ କରି ଏହି ଅଞ୍ଚଳକୁ ତୁରନ୍ତ ବିଚ୍ଛିନ୍ନ କରାଯାଇଥିଲା । ଉପଯୁକ୍ତ ପିପିଇ ଏବଂ ସ୍ୱତନ୍ତ୍ର ଉପକରଣ ବ୍ୟବହାର କରି ଫସି ରହିଥିବା ଅପରେଟରଙ୍କୁ ସୁରକ୍ଷିତ ଭାବେ ୪ ରୁ ୬ ମିନିଟ୍ ମଧ୍ୟରେ ଉଦ୍ଧାର କରାଯାଇଥିଲା ଏବଂ ସହାୟକ ଦଳଗୁଡ଼ିକୁ ନିୟୋଜିତ କରାଯାଇଥିଲା ।
ଏହି ଡ୍ରିଲ୍ ସମସ୍ତ ଲକ୍ଷ୍ୟ ହାସଲ ସହିତ ଲକ୍ଷ୍ୟଧାର୍ଯ୍ୟ ସମୟସୀମା, ଯୋଗାଯୋଗ ଏବଂ କ୍ରସ୍-ଫଙ୍କସନାଲ୍ ସମନ୍ୱୟକୁ ସଫଳତାର ସହ ସମାପ୍ତ କରିଥିଲା । ଭବିଷ୍ୟତର ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ପର୍ଯ୍ୟବେକ୍ଷଣ ଏବଂ ଉନ୍ନତି ପଏଣ୍ଟଗୁଡିକର ଡକ୍ୟୁମେଣ୍ଟସନ କରାଯାଇଛି ।
ଏହି ଅଭ୍ୟାସ ଉପରେ ମନ୍ତବ୍ୟ ଦେଇ ବେଦାନ୍ତ ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ ସୁରକ୍ଷା ପ୍ରସ୍ତୁତି ହେଉଛି ଏକ ନିରନ୍ତର ପ୍ରକ୍ରିୟା । ନିୟମିତ ମକ୍ ଡ୍ରିଲ୍ ଆମ ଦଳକୁ ଜଟିଳ ପରିସ୍ଥିତିରେ ଗତି, ସ୍ପଷ୍ଟତା ଏବଂ ଆତ୍ମବିଶ୍ୱାସର ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଆମ ବ୍ୟବସ୍ଥାଗୁଡ଼ିକର ନିୟମିତ ଭାବେ ପରୀକ୍ଷଣ କରି ଆମେ ସୁନିଶ୍ଚିତ କରୁଛୁ ଯେ ଆମର ଲୋକ, କାର୍ଯ୍ୟକ୍ଷେତ୍ର ଏବଂ ପଡ଼ୋଶୀ ସମ୍ପ୍ରଦାୟ ଯେଭଳି ସୁରକ୍ଷିତ ଏବଂ ନିରାପଦ ରହିବେ।”
