ଭୁବନେଶ୍ୱର : ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପ୍ରବଳ ଶୀତରୁ ନାହିଁ ନିସ୍ତାର । ଆଗାମୀ ୭ଦିନ ଯାଏ ମଞ୍ଜ ଥରାଇବ ହାଡ଼ଭଙ୍ଗା ଶୀତ । ଦେଶର ଉତ୍ତର ଭାଗରେ ପଶ୍ଚିମାଝଡ଼ ସତ୍ତ୍ବେ ଓଡ଼ିଶାରେ ଶୀତଲହରୀ ଜାରି ରହିଛି । ଗତ ୨୪ ଘଣ୍ଟାରେ ଫୁଲବାଣୀ ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୬ ଡିଗ୍ରୀ କମ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ- ଦକ୍ଷିଣ ଉପକୂଳ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମ ରେକର୍ଡ ହୋଇଛି । ଅଧିକାଂଶ ସ୍ଥାନରେ କୁହୁଡ଼ି ଓ ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିଛି । ରାଉରକେଲାରେ ଘନ କୁହୁଡି ପାଇଁ ଦୃଶ୍ୟମାନ କ୍ଷମତା ୫୦ ମିଟରକୁ ହ୍ରାସ ପାଇଛି । ରାଜ୍ୟରେ ପାଗ ଶୁଖିଲା ଥିଲେ ବି ଆସନ୍ତା ସାତ ଦିନ ଯାଏ ଶୀତର ପ୍ରକୋପ ଜାରି ରହିବ। ଶୀତ ସହ ବଢ଼ିବ କୁହୁଡ଼ି । ଆସନ୍ତାକାଲି ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି ।
