ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୋଟ ୫୯୧ ଜଣ ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱରର ଓୟୁଏଟିର କୃଷି ଶିକ୍ଷା ସଦନରେ ୧୩ତମ ନିଜୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ । ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସୂଚନା ଯୋଗ୍ୟଯେ, ଆଜିର ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ, ଓ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (Assistant Executive Engineer ), ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକ (Planning Assistant) ଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ଆଜି ଏହି ନିଯୁକ୍ତି ମେଳା ଜରିଆରେ ଆମେ ପ୍ରଥମ କରି GATE SCORE ଆଧାରରେ, ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ଙ୍କୁ ଚୟନ କରି, ତିନି ଗୋଟି ଇଞ୍ଜିନିୟରିଂ ବିଭାଗରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି l ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
କୃଷି ଶିକ୍ଷା ସଦନ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜୁନ୍ ମାସରୁ ଆଜି ଭିତରେ ଅର୍ଥାତ ୧୮ ମାସ ମଧ୍ୟରେ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଛ’ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି । ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶୃତି ଦେଇଥିଲେ । ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କର ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ମଧ୍ୟ ଲୋକାର୍ପିତ କରିଥିଲେ । ଏହି ଯୋଜନା ପାଇଁ ୨୭୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଏହାଦ୍ୱାରା ଆଗାମୀ ୫ ବର୍ଷରେ ୩ ହଜାର ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ହେବା ସହିତ ୨ ହଜାର ପୁରୁଣା ଚେକ୍ ଡ୍ୟାମ୍ର ପୁନଃରୁଦ୍ଧାର କରାଯିବ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ।
ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ଆଜି ରାଜ୍ୟର ୨୨ ଟି ଜିଲ୍ଲାରେ ୧୦୧ ଟି ଚେକ୍ଡ୍ୟାମ୍ ଲୋକାର୍ପିତ କରାଯାଇଛି । ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ୩.୦ ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୨୦୧ ଟି ଚେକ୍ଡ୍ୟାମ୍ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି । ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ ।
