ଧରା ପଡ଼ିଲେ ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ହୋଇଥିବା ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରାଯିବ । ପୂର୍ବରୁ ପୋଲିସର ଅନୁରୋଧରେ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବୁଧବାର ଗୋଆ ପୋଲିସର ଏକ ଟିମ୍ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିଥିଲା । ଆଉ ବର୍ତ୍ତମାନ ଲୁଥ୍ରା ବ୍ରଦର୍ସଙ୍କୁ ଧରିବାରେ ସଫଳ ହୋଇଛି ଗୋଆ ପୋଲିସ ।
କୁହାଯାଉଛି ଯେ ଉଭୟ ଥାଇଲ୍ୟାଣ୍ଡରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ, ତେଣୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସେମାନଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଥିଲା । ଉଭୟଙ୍କ ସନ୍ଧାନ ଜାରି ରଖିଥିଲା ପୋଲିସ । ସେମାନଙ୍କୁ ଥାଇଲ୍ୟାଣ୍ଡର ଏପରି ଏକ ସ୍ଥାନରେ ଟ୍ରାକ୍ କରାଯାଇଥିଲା ଯେଉଁଠାରେ ଅଧିକାଂଶ ପର୍ଯ୍ୟଟକ ରୁହନ୍ତି । ସୂତ୍ର ଅନୁସାରେ ଥାଇଲ୍ୟାଣ୍ଡର ଏହି ଅଞ୍ଚଳରେ ଅନେକ ବେଆଇନ କାର୍ଯ୍ୟକଳାପ ହୁଏ ।
ଲୁଥ୍ରା ବ୍ରଦର୍ସ ପ୍ରଥମେ ଥାଇଲ୍ୟାଣ୍ଡକୁ ବାଛିବାର କାରଣ ହେଉଛି ସେଠାରେ ଲୁଚି ରହିବା ସେମାନଙ୍କ ପାଇଁ ସହଜ ଥିଲା । ଏହା ପରେ ସେମାନେ ଥାଇଲ୍ୟାଣ୍ଡର ଏକ ହୋଟେଲ ପରିବର୍ତ୍ତେ ଏକ ରିସର୍ଟର ହୋମଷ୍ଟେରେ ରହିଥିଲେ । ଅଧିକାରୀମାନେ କହିଛନ୍ତି ଯେ ଥାଇଲ୍ୟାଣ୍ଡର ହୋଟେଲରେ ରହିବା ପାଇଁ ସେମାନଙ୍କୁ ବାୟୋମେଟ୍ରିକ୍ ଯାଞ୍ଚ କରିବାକୁ ପଡିଥାନ୍ତା । ସେମାନଙ୍କର ପାସପୋର୍ଟ ଏବଂ ପରିଚୟପତ୍ର ଦାଖଲ କରିବାକୁ ପଡ଼ିଥାନ୍ତା, ଯାହା ଦ୍ବାରା ସେମାନେ ସହଜରେ ଧରା ପଡ଼ି ଯାଇଥାନ୍ତେ । ସେମାନଙ୍କୁ ହୋମଷ୍ଟେରେ କୌଣସି ସୁରକ୍ଷା ଯାଞ୍ଚ କରିବାକୁ ପଡିନଥିଲା । ତେଣୁ ହୋମଷ୍ଟେକୁ ବାଛିଥିଲେ ଲୁଥ୍ରା ବ୍ରଦର୍ସ ।
କହି ରଖୁଛୁ ଦିଲ୍ଲୀର ରୋହିଣୀ କୋର୍ଟରେ ଲୁଥ୍ରା ବ୍ରଦର୍ସ ଅନ୍ତରୀଣ ଜାମିନ ଆବଦେନ କରିଥିଲେ । କିନ୍ତୁ ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଦୁଇ ଭାଇ ଜାମିନ ଆବେଦନରେ ଏହା ପୂର୍ବ ନିର୍ଦ୍ଧାରିତ ବ୍ୟବସାୟିକ ଯାତ୍ରା ବୋଲି କହି କୋର୍ଟଙ୍କୁ ଜାମିନ ମାଗିଥିଲେ, ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ ନାଇଟ କ୍ଲବରେ ନିଆଁ ଲାଗିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଅର୍ଥାତ୍ ଡିସେମ୍ବର ୭ ତାରିଖ ୧:୧୭ ମିନିଟରେ ଉଭୟ ଅଭିଯୁକ୍ତ ଫୁକେତ ପାଇଁ ଟିକେଟ୍ ବୁକ୍ କରିଥିଲେ । ଯାହାକୁ ଖସି ପଳାଇବାର ଏକ ସ୍ପଷ୍ଟ କୌଶଳ ବୋଲି ପୋଲିସ କହୁଛି ।
