ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ ଧଳାସୁନାର ଅଞ୍ଚଳ ଭାବରେ ବେଶ ଜଣାଶୁଣା । ଅଞ୍ଚଳରେ ଉନ୍ନତମାନର କପା ଉତ୍ପାଦନ ହେଉଥିବାରୁ ପାଟଣାଗଡ଼ କପାର ଚାହିଦା ମଧ୍ୟ ଅଧିକ । ଧାନ ପରେ ଅଞ୍ଚଳରେ ମୁଖ୍ୟ ଫସଲ ଭାବରେ ଚାଷୀ କପାଚାଷ କରିଥାନ୍ତି । କପା ଚାଷରେ ଖର୍ଚ୍ଚ ଅଧିକ ସହ ଲାଭ ମଧ୍ୟ ଅଧିକ ହେଉଥିବାରୁ ଚାଷୀଙ୍କ ପ୍ରିୟ ଫସଲ ହୋଇ ପାରିଛି । ଅନ୍ୟ ବର୍ଷ ମାନଙ୍କରେ ବର୍ଷା ଠିକ ଅନୁପାତରେ ହେଉଥିବାରୁ କପା ଭଲ ହେଉଥିଲା । ହେଲେ ଏ ବର୍ଷ ଅଧିକ ବର୍ଷା ହୋଇଥିବାରୁ କପା ଫସଲ ନଷ୍ଟ ହୋଇଛି । ଏଣୁ ଧାର କରଜ କିପରି ଶୁଝିବେ ଚିନ୍ତାରେ ଚାଷୀ ।
ଚଳିତବର୍ଷ ଅଧିକ ଦିନ ମୌସୁମୀ ସକ୍ରିୟ ରହିଥିବା ବେଳେ ଅଧିକ ବର୍ଷା ହୋଇଛି । ଯାହାକି କପା ଫସଲ ପାଇଁ ଅନୁକୂଳ ନୁହେଁ । ବର୍ଷାପାଣି ଫୁଟୁଥିବା କପାଫଳ ଭିତରେ ପଶିଯାଇଥିବାରୁ ଲେଣ୍ଡି କପା ଅଧିକ ବାହାରୁଛି । ଅମଳ ହୋଇଥିବା କପା ମଧ୍ୟ ଶୁଖା ହୋଇପାରି ନଥିବାରୁ କିଛି କପା କଳା ହୋଇ ଯାଇଛି । ଏ ବର୍ଷ କପାମଣ୍ଡି ଖୋଲିଥିଲେ ମଧ୍ୟ ଲେଣ୍ଡିକପା କିମ୍ବା ଭିନ୍ନରଙ୍ଗ ହୋଇଥିବା କପା ଦେଖିଲେ ମିଲର ମୁହଁ ଫେରାଉଥିବା କହିଛନ୍ତି ଚାଷୀ ।
ଅଧିକ ବର୍ଷା ହେତୁ କମ ଉତ୍ପାଦନ ସାଙ୍ଗକୁ କପା ଶୁଖାଇ ପାରିନଥିବାରୁ ଚାଷୀ ଅନେକ ମାତ୍ରାରେ କ୍ଷତିରେ ପଡିଛନ୍ତି । ଧାର କରଜ ଶୁଝିବା ପାଇଁ ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଜିଲ୍ଲାକୃଷି ଅଧିକାରୀ କୃଷିବିଭାଗ ପାଖରେ କପା ଫସଲ ନଷ୍ଟ ହେଲେ କୌଣସି ସହାୟତା ବ୍ୟବସ୍ଥା ନାହିଁ । କେବଳ ପ୍ରାକୃତିକ ବିପର୍ଯୟ ବିଭାଗ କିମ୍ବା କୃଷିବୀମା କରିଥିବା ଚାଷୀ ସହାୟତା ପାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
