ଅହମଦାବାଦ : ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ଦାବି କରିବା ପରେ ବିମାନକୁ ଅହମଦାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ଏହି ଖବର ଶୁଣିବା ପରେ କ୍ରୁ ମେମ୍ବର୍ସ ତୁରନ୍ତ ଖବର ପାଇଲଟ ଏବଂ ସୁରକ୍ଷା ଏଜେନ୍ସୀଙ୍କୁ ଦେଇଥିଲେ । ବିମାନରେ ମୋଟରେ ୧୮୦ ଜଣ ଯାତ୍ରୀ ରହିଥିଲେ ।
ଖବର ମୁତାବକ, ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ ନିଜ ପାଖରେ ବୋମା ଥିବା କହିଥିଲେ । ଏହା ଶୁଣିବା ପରେ କ୍ରୁ ମେମ୍ବର୍ସ ଏବଂ ଅନ୍ୟ ଯାତ୍ରୀ ଆଲର୍ଟ ହୋଇଯାଇଥିଲେ । ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେବା ପରେ ବିମାନକୁ ଅହମଦାବାଦ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା ।
ସକାଳ ୧୧.୩୦ ମିନିଟରେ ବିମାନଟି ଅହମଦାବାଦ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । ଏହାପରେ ସିଆଇଏସଏଫ ଏବଂ ଏୟାରପୋର୍ଟ ସୁରକ୍ଷା ଟିମ୍ ବିମାନକୁ ଯାଞ୍ଚ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ।
ବୋମା ନିଷ୍କ୍ରିୟ ଟିମ୍ ବିମାନକୁ ଯାଞ୍ଚ କରିବା ପରେ ମଧ୍ୟ ଏଯାଏଁ ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବିମାନରେ ୧୮୦ ଯାତ୍ରୀ ରହିଥିଲେ ।
